ହକି ବିଶ୍ୱ ଲିଗ୍ ଫାଇନାଲ ୨୦୧୭ ! ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଆଜେଣ୍ଟିନା

27

କନକ ବ୍ୟୁରୋ : ଆଜି ବିଶ୍ୱ ହକି ଲିଗ୍ ସେମି ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ଆର୍ଜେଣ୍ଟିନା । ବେଲିଜୟମ ବିପକ୍ଷ ଜବରଦସ୍ତ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ଆୟୋଜକ ଭାରତ ପାଇଁ ଆଉ ଏକ ମସ୍ତବଡ଼ ଆହ୍ଵାନ ଉପନୀତ ହୋଇଛି। ଚଳିତ ହକି ବିଶ୍ୱ ଲିଗ୍ ଫାଇନାଲରେ ଭାରତ ଶୁକ୍ରବାରର ସେମିଫାଇନାଲର ପ୍ରଥମ ମୁକାବିଲାରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନାକୁ ଭେଟିବ। କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ ସେ ଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ଲାଭ କରିବ ।

ଭାରତ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମକୁ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ମାତ୍ ଦେଇ ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲାବେଳେ ଆର୍ଜେଣ୍ଟିନା ଗୁରୁବାର ତୃତୀୟ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଏହି ପର୍ୟ୍ୟାୟକୁ ଉନ୍ନୀତ ହୋଇଛି।ସନ୍ଧ୍ୟା ୭.୩୦ରେ ଏହି ସେମିଫାଇନାଲ ମ୍ୟାଚ ଆରମ୍ଭ ହେବ ।

ସେହିଭଳି ଲିଗ୍ ପର୍ଯ୍ୟାୟ ପ୍ରଦର୍ଶନ ଆଧାରରେ ପଞ୍ଚମ ଏବଂ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ-ସ୍ପେନ୍ ଭେଟାଭେଟି ହେବେ। ଅନ୍ୟପକ୍ଷରେ ଶେଷ ଦୁଇ ସ୍ଥାନ ଅର୍ଥାତ୍ ସପ୍ତମ ଏବଂ ଅଷ୍ଟମ ସ୍ଥାନ ପାଇଁ ଇଂଲଣ୍ଡ ଏବଂ ନେଦରଲାଣ୍ଡ ମୁକାବିଲା କରିବେ। ଶୁକ୍ରବାର ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ୍ ସହ ଇଂଲଣ୍ଡ-ନେଦରଲାଣ୍ଡ ମ୍ୟାଚ୍ ଖେଳାଯିବ। ଅନ୍ୟ ପକ୍ଷରେ ଶନିବାର ଅଷ୍ଟ୍ରେଲିଆ-ଜର୍ମାନି ସହ ବେଲଜିୟମ-ସ୍ପେନ୍ ମ୍ୟାଚ୍ ଆୟୋଜିତ ହେବ।