ବୀରୁଙ୍କ ମୁହଁରେ ଓଡିଆ ବୀରର କାହାଣୀ ! ବିଶ୍ୱକୁ ଜଣାଇଲେ ଶହୀଦ ବାଜି ରାଉତଙ୍କ ଗାଥା

161

କନକ ବ୍ୟୁରୋ : ପୂରା ବିଶ୍ୱ ଜାଣିଲା ଓଡ଼ିଆ ପୁଅ ଶହୀଦ ବାଜି ରାଉତଙ୍କର ବୀରତ୍ୱର ଗାଥା । ବାଜି ରାଉତଙ୍କ ବୀରତ୍ୱର ଗାଥାକୁ ପୂରା ବିଶ୍ୱ ଆଗରେ ବଖାଣିଛନ୍ତି ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହେୱାଗ । ଶିଶୁ ଦିବସ ଅବସରରେ ସେହୱାଗ ଓଡ଼ିଆ ପୁଅ ବାଜି ରାଉତଙ୍କୁ ମନେ ପକାଇଛନ୍ତି । ନିଜ ଟ୍ୱିଟର ପେଜରେ ବାଜି ରାଉତଙ୍କ ବୀରତ୍ୱର ସମ୍ପୂର୍ଣ୍ଣ କଥା ଲେଖିଛନ୍ତି ଏହି ଦୁର୍ଦ୍ଧଷ ବ୍ୟାଟସମ୍ୟାନ । କିପରି ବାଜି ଇଂରେଜଙ୍କୁ ଖାତିର ନକରି ହସି ହସି ଜୀବନ ଦେଇଥିଲେ ତାହାର ପୂରା ଇତିହାସ ସେ ନିଜ ଟ୍ୱିଟର ପେଜରେ ଉଲ୍ଲେଖ କରିବା ସହ ବାଜି ରାଉତଙ୍କ ଫଟୋ ସେୟାର କରିଛନ୍ତି ।

ସେହୱାଗ ଟ୍ୱିଟ କରି କହିଛନ୍ତି, ଭାରତୀୟ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଶହିଦ ଭାବେ ବାଜି ରାଉତ ଇଂରେଜଙ୍କ ଗୁଳିରେ ମୃତ୍ୟବରଣ କରିଥିଲେ । ଓଡ଼ିଶାର ନୀଳକଣ୍ଠପୁର ଅଞ୍ଚଳର ୧୨ ବର୍ଷିୟ ବାଜି ରାଉତ । ବ୍ରାହ୍ମଣୀ ନଦୀରେ ଡଙ୍ଗା ଘାଟ ଜଗିବା ତାଙ୍କ ବେଉସା ଥିଲ । ଡଙ୍ଗାରେ ନଦୀ ପାର କରିବାରେ ସେ ଲୋକଙ୍କୁ ସାହାଯ୍ୟ କରୁଥିଲେ । ଭାରତରେ ସ୍ୱାଧୀନତା ଆନ୍ଦୋଳନ ଚାଲିଥିବା ବେଳେ ଇଂରେଜ ମାନେ ଭାରତୀୟଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଇଂରେଜ ମାନେ ବିନା କାରଣରେ କିପରି ଲୋକଙ୍କୁ ହତ୍ୟା କରୁଥିଲେ ତାହା ପୂର୍ବରୁ ଶୁଣିଥିଲେ ବାଜି ।

କିନ୍ତୁ ଜାଣି ନଥିଲେ ଦିନେ ଇଂରେଜଙ୍କ ସହ ତାଙ୍କର ମୁହାଁମୁହିଁ ଭେଟ ହେବ ବୋଲି । ଦିନେ ଗୋରା ସୈନିକ ବାଜି ରାଉତ ଜଗୁଥିବା ଘାଟରେ ପହଞ୍ଚି ସେମାନଙ୍କୁ ନଦୀର ଆରପାରିକୁ ନେବାକୁ କହିଥିଲେ । ତେବେ ଇଂରେଜଙ୍କ ବିଷୟରେ ଆଗରୁ ଜାଣିଥିବା ବାଜି ନଦୀ ପାର କରାଇବାକୁ ସିଧାସଳଖ ମନା କରି ଦେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇଯାଇଥିଲେ ଇଂରେଜ ସୈନିକ । ଏଥିପାଇଁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । କିନ୍ତୁ ଏହାର କାଣିଚାଏ ପ୍ରଭାବ ମଧ୍ୟ ବାଜିଙ୍କ ଉପରେ ପଡିନଥିଲା । ଇଂରେଜଙ୍କ ଧମକକୁ ଖାତିର ନକରି ସେ ପୁର୍ନବାର ତାଙ୍କୁ ନଦୀର ଆରପାରିକୁ ନେବାକୁ ମନା କରିଥିଲେ । ବାଜି ଏଭଳି ସାହସ ଦେଖି ଆହୁରି ରାଗି ଯାଇଥିଲେ ଇଂରେଜ । ଜଣେ ଇଂରେଜ ସୈନ୍ୟ ବାଜିଙ୍କ ମୁଣ୍ଡକୁ ନିଜ ବନ୍ଧୁକରେ ଆଘାତ କରିଥିଲେ । ଏଥିରେ ତଳେ ଟଳି ପଡିଥିଲେ ବାଜି ରାଉତ ।

କିନ୍ତୁ ପୁଣିଥରେ ସାହସ ଜୁଟାଇ ଇଂରେଜକୁ ସାମ୍ନା କରିବାକୁ ଛିଡା ହୋଇଥିଲେ ବାଜି । ଏପରିକି ସେ ବଞ୍ଚଥିବା ପର୍ଯ୍ୟନ୍ତ ବ୍ରିଟିଶ ସେନାକୁ ନଦୀ ପାର କରାଇଦେବେନି ବୋଲି ଚେତାଇ ଦେଇଥିଲେ । ଏହା ଶୁଣିବା ପରେ ଆଉ ଏକ ବ୍ରିଟିଶ ସୈନିକ ପାଲଟି ଯାଇଥିଲେ ରାକ୍ଷସ । ଅତି ନିର୍ଦ୍ଦୟ ଭାବେ ବାଜି ରାଉତଙ୍କ ଉପରକୁ ଗୁଳି ଚଳାଇଥିଲେ । ଇଂରେଜଙ୍କ ଗୁଳିରେ ସେହିଠାରେ ହିଁ ବାଜି ରାଉତଙ୍କ ପ୍ରାଣବାୟୁ ଉଡି ଯାଇଥିଲା । କେବ, ବାଜି ନୁହଁନ୍ତି ତାଙ୍କର ଅନ୍ୟ ତିନି ସାଙ୍ଗ ମଧ୍ୟ ସେହିଠାରେ ଇଂରେଜଙ୍କ ଗୁଳିରେ ଟଳି ପଡିଥିଲେ । ବାଜି ସିନା ଇଂରେଜଙ୍କ ଗୁଳିରେ ଶହିଦ ହୋଇଯାଇଥିଲେ କିନ୍ତୁ ଶେଷ ପର୍ଯ୍ୟନ୍ତ ହାର ମାନିନଥିଲେ । ଅତି ଛୋଟ ବୟସରେ ଇଂରେଜଙ୍କ ଆଗରେ ଦେଖାଇଥିଲେ ସାହସ । ତେଣୁ ତାଙ୍କ ବଳିଦାନକୁ ସଲାମ କରିଛନ୍ତି ବିରେନ୍ଦ୍ର ସେହୱାଗ ।

ବାଜି ରାଉତଙ୍କ ବଳିଦାନକୁ ସେହୱାଗ ଟ୍ୱିଟ୍ କରିବା ପରେ ଏହାକୁ ରି ଟ୍ୱିଟ୍୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ବାଜି ରାଉତଙ୍କ ବୀରତ୍ୱର କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ସେହୱାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଏହା ଓଡିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ।