ଓଡିଶାରେ ମୋଦି ଦରବାର ! ଜନତା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

41

କନକ ବ୍ୟୁରୋ : ଦୁଇ ଦିନ ପାଇଁ ଭୁବନେଶ୍ୱରରେ ବସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରବାର । ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଆସିବ ଭୁବନେଶ୍ୱର । ଜନତା ମଇଦାନରେ ହେବାକୁ ଥିବା ବିଜେପିର ରାଷ୍ଟ୍ରିୟ କାର୍ଯ୍ୟାକାରିଣୀ ପାଇଁ ଏହିପରି ପ୍ରସ୍ତୁତି କରିଛି ରାଜ୍ୟ ବିଜେପି । ବ୍ଲୁ ବୁକ ଆଧାରରେ ଯେଉଁଠି ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି, କାର୍ଯ୍ୟକାରିଣୀ ସହ କିପରି ଏକାଠି ଚାଲି ପାରିବ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସେ ନେଇ ଜନତା ମଇଦାନରେ ଚାଲିଛି ପ୍ରସ୍ତୁତି ।

ନଜର ପକାନ୍ତୁ ଏହି ପ୍ଲାନିଂ କପି ଉପରେ

– ସଭାସ୍ଥଳୀର ଏଂଟ୍ରି ପଏଂଟରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଅଫିସ୍ । ଏଥିରେ ୧୦ ଜଣ ଅଫିସରଙ୍କ ସିଟ୍ ବ୍ୟବସ୍ଥା କରାଯାଇଛି । ଅଫିସ୍ ରୁମକୁ ଲାଗି ୱେଟିଂ ହଲ ବି କରାଯାଇଛି । ଏଠାରେ ବସି ପାରିବେ ୮ ଜଣ ।

– ଅନ୍ୟ ଏକ ତମ୍ବୁରେ ୪୦୦ ବର୍ଗ ଫୁଟର ଜର୍ମାନ ପାଗୋଡା କରାଯାଇଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଉଂଜ୍ କରାଯାଇଛି । ଏହି ଲାଉଂଜ ୨୦୦୦ ବର୍ଗ ଫୁଟ୍ ଜମିରେ କରାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀଙ୍କ ବେଡ୍ ରୁମ ସମେତ ଫୁଡ କାଉଂଟର କରାଯାଇଛି । ଯାହାକୁ ଲାଗି ଟିଭି ରୁମ୍ ମଧ୍ୟ ରହିଛି ଯେଉଁଠୁ ଭିଡିଓ କନଫରେନସିଂ କରି ପାରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ହାଇପ୍ରୋଫାଇଲ ବ୍ୟବସ୍ଥା କରାଯିବା ସହ ଅନ୍ୟ ପଦାଧିକାରୀଙ୍କ ପାଇଁ ବି ରହିଛି ଭିଭିଆଇପି ବ୍ୟବସ୍ଥା । ରାଷ୍ଟ୍ରିୟ ସଭାପତିଙ୍କ ଲାଉଂଜ ବି କରାଯାଇଛି ପ୍ରଧାନମନ୍ତ୍ରୀ ଲାଉଂଜ ପରି । ସଭା ପାଇଁ ବଡ ମଂଚ ସହ ତଳେ ୫୭୬ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୫ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଂଚିବା ମାତ୍ରେ, ଲକ୍ଷାଧିକ ଲୋକଙ୍କ ଭବ୍ୟ ସମ୍ବର୍ଦ୍ଧନାର ରାଲିରେ ଜନତା ମଇଦାନ ନିଆଯିବ ।