ସଚିବାଳୟରେ ଚାକିରୀ ଦେବା ନାଁରେ ଠକେଇ ଘଟଣାର ଖୋଳତାଡ଼ ! ପୋଲିସ କରିବ ସିସିଟିଭି ଯାଂଚ, ମଗାଇଲା ବିସ୍ତୃତ ବ୍ୟାଙ୍କ ବିବରଣୀ

48

କନକ ବ୍ୟୁରୋ : ସଚିବାଳୟରେ ଚାକିରୀ ନାଁରେ ଠକେଇ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି । ଘଟଣାକୁ ଗୁରୁତ୍ୱର ସହ ନେଇଛି କମିଶନରେଟ ପୋଲିସ । ପୋଲିସ ସିସିଟିଭି ଫୁଟେଜ ଯାଂଚ କରିବା ସହ ବିସ୍ତୃତ ବ୍ୟାଙ୍କ ବିବରଣୀ ମାଗିଛି । ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଦଲାଲ ଚାକୀରି ଦେବା ନାଁରେ ଟଙ୍କା ଠକି ନେଇଥିବା ଖବର କାଲି କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଏମିତିକି ଚାକିରୀ ପାଇଁ ତାଙ୍କୁ ସଚିବାଳୟର ଫେକ ଆପଏଣ୍ଟମେଣ୍ଟ ଲେଟର ବି ଦିଆଯାଇଥିଲା ।

ଏହି ଘଟଣାରେ ଅଭିଯୋଗକାରୀଙ୍କ ବ୍ୟାଙ୍କ ଷ୍ଟେଟମ୍ୟାଂଟ ମାଗିଛି ପୁଲିସ । ସବୁଠାରୁ ବଡ କଥା ହେଉଛି ଏହି ଦଲାଲ ମାନେ କେମିତି ସଚିବାଳୟରେ ପ୍ରବେଶ କଲେ ଓ ବେଧଡକ ବିଭିନ୍ନ ବିଭାଗ ବୁଲି ଫେକ ଆପଏଣ୍ଟମେଣ୍ଟ ଲେଟର ଆଣିଲେ, ସେ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଢେଙ୍କାନାଳର ନୀଳମଣି ମହାରଣା ଏହି ଠକାମିର ଶୀକାର ହୋଇଥିଲେ । ଗତ ଏପ୍ରିଲ ମାସରେ କିଛି ବ୍ୟକ୍ତି ନୀଳମଣିଙ୍କୁ ଫୋନ ଯୋଗେ ଯୋଗଯୋଗ କରିଥିଲେ । ଆଉ ତାଙ୍କ ପୁଅ ନରେନ୍ଦ୍ରଙ୍କୁ ରାଜ୍ୟ ସଚିବାଳୟରେ ଚାକିରୀ ଦେବା ନେଇ ଦେଖାଇଥିଲେ ପ୍ରଲୋଭନ । ପ୍ରତି ବଦଳରେ ଦାବି କରିଥିଲେ ଦେଢ ଲକ୍ଷ ଟଙ୍କା ।