ସେବାୟତଙ୍କ ଉପରେ କଟକଣା ! ରଥଯାତ୍ରା ସମୟରେ ଦାନ ଓ ଦକ୍ଷିଣା ନେଇପାରିବେନି ସେବାୟତ ।

89

ସେବାୟତଙ୍କ ଉପରେ ଲାଗିଲା କଟକଣା । ରଥଯାତ୍ରାକୁ ନେଇ କଟକଣା ଲଗାଇଲେ ଶ୍ରୀମନ୍ଦିର ପ୍ରଶାସନ । ଚଳିତ ରଥଯାତ୍ରାରେ ସେବାୟତମାନେ ଦାନ ଓ ଦକ୍ଷିଣା ନେଇପାରିବେ ନାହିଁ । ଶ୍ରୀମନ୍ଦିର ଦଇତାପତି ଓ ସେବାୟତମାନେ କୌଣସି ଭକ୍ତ କିମ୍ବା ପର୍ଯ୍ୟଟକଙ୍କ ଠାରୁ ଦାନ ଗ୍ରହଣ କରିପାରିବେ ନାହିଁ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଓ ଗୁଣ୍ଡିଚା ମନ୍ଦିର ନିକଟରେ ହୁଣ୍ଡି ଲଗାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ରଥରେ ୧୨ଟି ହୁଣ୍ଡି ଏବଂ ଗୁଣ୍ଡିଚାମନ୍ଦିରରେ ୬ଟି ହୁଣ୍ଡି ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୁଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ତେବେ ପୂର୍ବରୁ ନିଳାଦ୍ରୀବିଜେ ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏବଂ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଘଟଣା ସ୍ପଷ୍ଟ ହୋଇନଥିବା ବେଳେ ସେବାୟତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ଏତିକି ନୁହେଁ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବ ଉପରେ ଯେମିତିକି- ବଂଶାନୁକ୍ରମିକ ସେବାୟତ ପ୍ରଥା ଏବଂ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ମଧ୍ୟ ଅସନ୍ତୁଷ୍ଟ ହୋଇଛନ୍ତି ସେବାୟତ ।

ପୂର୍ବରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ତୁତୁ ମେ ମେ ଦ୍ୱନ୍ଦ ଲାଗିରହିଛି । ଏତିକି ବେଳେ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରାରେ ସମୟରେ ସେବାୟତଙ୍କ ଦାନ ଦକ୍ଷିଣା ନେବା ଉପରେ କଟକଣା ଲଗାଇଛି । ଯାହାକୁ ନେଇ ମଧ୍ୟ ସେବାୟତଙ୍କ ଅଗାମୀ ପଦକ୍ଷେପ କ’ଣ ରହିବ ତାହା କହିବା ମୁସକିଲ । କାରଣ ପୂର୍ବରୁ ଅନେକ ସମୟରେ ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ବିରୋଧ କରି ଆସିଛନ୍ତି ସେବାୟତ ଓ ଦଇତାପତି ।