ଲଗାଣ ବର୍ଷାରେ ଭୁଶୁଡିଲା ସ୍କୁଲ ଗୃହ ! ସ୍କୁଲ ପରିସରକୁ ନିଶିଦ୍ଧାଂଚଳ ଘୋଷଣା କରି ଚୁପ ବସିଛି ପ୍ରଶାସନ

51

କନକ ବ୍ୟୁରୋ : ଲଗାଣ ବର୍ଷାରେ ଭୁଶୁଡି ପଡିଲା ସ୍କୁଲ । ଏବେ ପର ପିଣ୍ଡିରେ ଚାଲିଛି ଶିକ୍ଷାଦାନ ଆଉ ପାଚିକା ଘରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ଏମିତି ଚାଲିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନୂଆପଡାର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟ ଗୃହ ଭାଙ୍ଗି ଯିବାରୁ ପର ଘର ବାରଣ୍ଡାରେ ପଢୁଛନ୍ତି ପିଲା । ଅଣ ଓସାରିଆ ବାରଣ୍ଡା, ତହିଁରେ ଗେଂଜା ଗେଂଜି ହୋଇ ବସିଛନ୍ତି ଛାତ୍ର ଛାତ୍ରୀ । ବିନା କଳାପଟାରେ ଚାଲିଛି ପାଠ ପଢା । ବିଦ୍ୟାଳୟ ବିପଦପୂର୍ଣ୍ଣ ହେବା ପରେ ଗାଁ ଲୋକେ ଏକ ଖାଲି ଇନ୍ଦିରାଆବାସରେ ଶିକ୍ଷାଦାନ ପାଇ ଜାଗା ଦେଇଥିଲେ ।

ଜଣକର ଇନ୍ଦିରାଆବାସ ଘରେ ଅସ୍ଥାୟୀ ଭାବେ ଚାଲିଛି ନୂଆପଡା ପ୍ରାଥମିକ ବିଦ୍ୟାଳୟ । ସେହିପରି ପ୍ରଧାନ ଶିକ୍ଷକଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ମଧ୍ୟ ଘରୋଇ ଆସବାବ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କୋକସରା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତୋଫାନ ମାଝୀ କହିଛନ୍ତି ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ଦିଆଯାଇଛି ଓ ଅତି ଶୀଘ୍ର ସ୍କୁଲ ଗୃହ ମରାମତି କରାଯିବ । ସ୍କୁଲକୁ ନିଶିଦ୍ଧାଂଚଳ ଘୋଷାଣାକରି ବ୍ଲକ ଶିକ୍ଷା ବିଭାଗ ନିଜ ମୁଣ୍ଡରୁ ଦୋଷ ଝାଡି ଦେଇଥିବାବେଳେ ଇନ୍ଦିରାଆବାସ ଗୃହକୁ ଅସ୍ଥାୟୀ ସ୍କୁଲ ଭାବେ ବ୍ୟବହାର କରାଯାଇଉଛି । ତେବେ ପ୍ରଶ୍ନ ଉଠୁଛି ଗରିବ ହିତାଧିକାରୀଙ୍କ ଇନ୍ଦିରାଆବାସରେ ପାଠପଢା ଓ ପାଚିକାଙ୍କ ଘରେ ମଧ୍ୟାହ୍ନ ଭୋଜନ କେତେଦିନ ଚାଲିବ ।