ବଡ଼ ଡାକ୍ତରଖାନାରେ ବଡ଼ ଅବ୍ୟବସ୍ଥା : ସବୁଠାରୁ ଭରସାଯୋଗ୍ୟ ସରକାରୀ ଡାକ୍ତରଖାନାର କାଜୁଆଲଟିରେ ରହିଛି ମାତ୍ର ଗୋଟିଏ ଷ୍ଟ୍ରେଚର, ମୃତ ପ୍ରମାଣପତ୍ର ପାଇଁ ବି ଲମ୍ବା ଲାଇନ୍
କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନା ପାଇଁ ବଡ଼ ଚିନ୍ତା କରିଛନ୍ତି ସରକାର । ଏମ୍ସ ପ୍ଲସ ବ୍ୟବସ୍ଥା ହେବ । କିନ୍ତୁ ରାଜ୍ୟର ସର୍ବବୃହତ ଆଉ ସବୁଠୁ ଭରସାଯୋଗ୍ୟ ସରକାରୀ ଡାକ୍ତରଖାନା କୁହାଯାଉଥିବା କଟକ ବଡ଼ ଡାକ୍ତରଖାନାର କାଜୁଆଲ୍ଟିରେ ରହିଛି ମାତ୍ର ଗୋଟିଏ ଷ୍ଟ୍ରେଚର । କାଜୁଆଲ୍ଟିକୁ ଆସି ପ୍ରାଣ ହରାଉଥିବା ବ୍ୟକ୍ତି ବି ମୃତ୍ୟୁ ପ୍ରମାଣପତ୍ର ନେବାକୁ ଘଣ୍ଟା ଘଣ୍ଟା ଲାଇନରେ ରହୁଛନ୍ତି । ଗୁରୁତର ଅବସ୍ଥାରେ କାଜୁଆଲ୍ଟିକୁ ଆସୁଥିବା ରୋଗୀଙ୍କ ପାଖରେ ଡାକ୍ତର ପହଞ୍ଚିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଅନ୍ କଲ୍ରେ ଡାକ୍ତର ଆସିବାର ବ୍ୟବସ୍ଥା ଥିବାବେଳେ କଲ୍ ଗଲେ ମଧ୍ୟ ଡାକ୍ତର ଆସିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଟକ ବଡ଼ ଡାକ୍ତରଖାନାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ପାଇଁ ଦିନକୁ ହାରାହାରି ୩ ଶହ ରୋଗୀ ଆସୁଛନ୍ତି। ହେଲେ ରୋଗୀଙ୍କ ପାଇଁ କାଜୁଆଲିଟିରେ ରହିଛି ମାତ୍ର ୩୫ଟି ବେଡ୍। ପ୍ରତି ଘଣ୍ଟାରେ ୫୦ଜଣ ରୋଗୀ ଚିକିତ୍ସା ପାଇଁ ଆସନ୍ତି ଓ ଯାଆନ୍ତି । ହେଲେ ଶଯ୍ୟା ଅଭାବରୁ ଗୁରୁତର ରୋଗୀ ତଥା ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀ ମଧ୍ୟ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି । ରୋଗୀର ରକ୍ତ ବୋହି ଯାଉଥାଉ କି ନିଃଶ୍ବାସ ନେଇ ପାରୁ ନଥାଉ.. ଲାଇନରେ ରହି ଡାକ୍ତରଙ୍କ ପାଖରେ ପହଞ୍ଚିଲା ବେଳକୁ ଅବସ୍ଥା ସଂଗିନ । ରୋଗୀ ଓ ସଂପର୍କୀୟଙ୍କ ପାଇଁ ରହିଛି ମାତ୍ର ତିନୋଟି ପାଇଖାନା । ଷ୍ଟ୍ରେଚର, ହ୍ବିଲ ଚେୟାର, ଟ୍ରଲି ଅଛି ବୋଲି କର୍ତ୍ତୃପକ୍ଷ କହୁଥିଲେ ବି ଠିକଣା ସମୟରେ କିଛି ମିଳେନି।
ଅନ୍ୟପଟେ ତୁରନ୍ତ ଆବଶ୍ୟକ ପଡୁଥିବା ମାଇନର ଓଟିରେ ମାତ୍ର ୩ଟି ବେଡ୍ । ଜଣେ ଆସିଲେ ଆଉ ଜଣେ ଯିବ । ୫ଟା ପରେ ଆଉଟ୍ଡୋର ବନ୍ଦ ରହୁଥିବାରୁ ତା’ପରଦିନ ସକାଳ ୮ଟା ପର୍ଯ୍ୟନ୍ତ ରୋଗୀଙ୍କ ଭରସା କାଜୁଆଲ୍ଟି। ଯଦି ୩ଜଣ ପୋଡ଼ା ରୋଗୀ ଆଶୁଚିକିତ୍ସା କେନ୍ଦ୍ରକୁ ଆସନ୍ତି ତେବେ କଥା ସରିଲା । ମୁଣ୍ଡରୁ ରକ୍ତ ବୋହି ଅଚେତ୍ ହୋଇପଡୁଥିବା ରୋଗୀ ବି ମାଇନର ଓଟିକୁ ଯାଇପାରେନି । ଶେଷରେ ବାହାରେ ଦୋଷ ଛଡ଼ାଇ ଦେବା ଭଳି ସ୍ଥିତିରେ ରୋଗୀର ଚିକିତ୍ସା କରାଯାଏ ।
ଏସ୍ସିବି କାଜୁଆଲ୍ଟିରେ ସର୍ଜରି, ମେଡିସିନ୍, ଅର୍ଥୋପେଡିକ୍ ଭଳି ୪ଟି ବିଭାଗର ଡାକ୍ତରଙ୍କୁ ବାଦ୍ ଦେଲେ ଅନ୍ୟ ସବୁ ବିଭାଗର ଡାକ୍ତର ଆସନ୍ତି ‘ଅନ୍ କଲ୍’ ରେ। କିନ୍ତୁ ସେଠି ଡାକ୍ତର ବସିବାକୁ ସ୍ଥାନ ନଥାଏ । ରୋଗୀଙ୍କ ପାଇଁ ଦୁଇଟି, ଡାକ୍ତରଙ୍କ ପାଇଁ ଗୋଟିଏ ଘର ରହିଥିବା ବେଳେ ଓଟି, ପ୍ଲାଷ୍ଟର ରୁମ, ଜରୁରୀକାଳୀନ ପରୀକ୍ଷା କକ୍ଷ, ଇସିଜି ଓ ଏକ୍ସରେ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। କିନ୍ତୁ ସ୍ଥାନାଭାବ ସମସ୍ୟା, ଡାକ୍ତର ସମସ୍ୟା ଓ ଆବଶ୍ୟକ ଉପକରଣ ଅଭାବରୁ ଏସ୍ସିବି କାଜୁଆଲ୍ଟି ରୋଗୀଙ୍କ ପାଇଁ ମୃତ୍ୟୁର ଘର ପାଲଟିଥିବା ରୋଗୀ ଅଭିଯୋଗ କରିଛନ୍ତି ।