ଅଯୋଧ୍ୟା ମାମଲାର ଶୁଣାଣି ! ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ ଅଯୋଧ୍ୟା ମାମଲାର ବଡ ଶୁଣାଣି

68

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ମାମଲା ଅଯୋଧ୍ୟା ରାମ ମନ୍ଦିର ମାମଲାର ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ । ୨୫ ବର୍ଷ ପୂର୍ବରୁ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗାଯାଇଥିଲା । ଆଉ ଏହା ଉପରେ ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷ ନିଜ ନିଜ ଦାବି ଉପସ୍ଥାପନ କରୁଛନ୍ତି । ୨୦୧୦ ମସିହାରେ ଆହ୍ଲାବଦ ହାଇକୋର୍ଟ ବିବାଦୀୟ ଜମିକୁ ୩ ପକ୍ଷକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସବୁ ପକ୍ଷ ସୁପ୍ରିମକୋର୍ଟ ଯାଇଥିଲେ । ଆଜି ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମି ବାବଦରେ ଶୁଣାଣି କରିବେ । ଏ ନେଇ କୋର୍ଟ ପାଖରେ ବିଭିନ୍ନ ଭାଷାର ୯ ହଜାର ପୃଷ୍ଠାର ତଥ୍ୟ ରହିଛି ।

ଏବେ ଆସନ୍ତୁ ନଜର ପକାଇବା ଅଯୋଧ୍ୟା ବିବାଦ ଉପରେ କଣ ଥିଲା ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତି ।

• ୧୯୮୯ରେ ଆହ୍ଲାବାଦ ହାଇକୋର୍ଟରେ ପହଂଚିଥିଲା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ବିବାଦ ।

• ସତ୍ୟ ଜାଣିବାକୁ ୨୦୦୩ରେ ବିବାଦୀୟ ସ୍ଥଳର ଖୋଦନ କରିଥିଲେ ଆହ୍ଲାବାଦ ହାଇକୋର୍ଟ ।

• ଏଥିରୁ ମିଳିଥିବା ପ୍ରମାଣ ଯାଂଚ ପରେ ମସଜିଦ୍ ପୂର୍ବରୁ, ହିନ୍ଦୁ ମନ୍ଦିର ଥିବା ଜଣାପଡିଥିଲା ।

• ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଶେଷ କରିଥିଲେ ଶୁଣାଣି ।

• ୨୦୧୦ରେ ଶୁଣାଣି ଶେଷ କରି ସେପ୍ଟେମ୍ବର ୩୦ରେ ରାୟ ଶୁଣାଇଥିଲେ ଆହ୍ଲାବାଦ ହାଇକୋର୍ଟ ।

• ରାୟ ଶୁଣାଇଥିଲେ ଜଷ୍ଟିସ ସୁଧିର ଅଗ୍ରୱାଲ, ଜଷ୍ଟିସ ଏସ.ୟୁ. ଖାନ୍ ଓ ଜଷ୍ଟିସ ଜଷ୍ଟିସ ଡି.ବି. ଶର୍ମାଙ୍କ ଖଣ୍ଡପୀଠ ।

• ୨.୭୭ ଏକର ବିବାଦୀୟ ଜମିକୁ ସମାନ ୩ ଭାଗ କରିବାକୁ ନିଷ୍ପତି ଶୁଣାଇଥିଲେ ହାଇକୋର୍ଟ ।

• ରାମମୂର୍ତ୍ତୀ ଥିବା ପ୍ରଥମ ଭାଗ ରାମମନ୍ଦିର ପାଇଁ ଦିଆଯିବା ପାଇଁ ନିଷ୍ପତି ନେଲେ କୋର୍ଟ ।

• ରାମ ଚଉତରା ଓ ସୀତା ରୋଷେଇଶାଳ ଥିବା ଦ୍ୱିତୀୟ ଭାଗ ନିର୍ମୋହୀ ଆଖଡାକୁ ଦିଆଗଲା ।

• ଅବଶିଷ୍ଟ ତୃତୀୟ ଭାଗ ସୁନ୍ନି ୱାକଫ୍ ବୋର୍ଡକୁ ଦେବା ପାଇଁ ହୋଇଥିଲା ନିଷ୍ପତି ।

• ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଆଧାରରେ ରାୟ ଶୁଣାଇଥିଲେ ହାଇକୋର୍ଟ ।

• ଭଗବାନ୍ ଶ୍ରୀରାମଙ୍କ ଜନ୍ମଭୂମି ମାନ୍ୟତାକୁ ମଧ୍ୟ ନିଷ୍ପତିରେ ସାମିଲ କରିଥିଲେ ହାଇକୋର୍ଟ ।

• ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ହିନ୍ଦୁ ମହାସଭା ଓ ସୁନ୍ନି ସେଂଟ୍ରାଲ ୱାକଫ୍ ବୋର୍ଡ ।

• ୨୦୧୧ ମେ ୯ ତାରିଖରେ ପୂରୁଣା ସ୍ଥିତି ବଳବତର ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।