କନକ ବ୍ୟୁରୋ : ଶିଶୁ ଭବନରେ ଚିକିତ୍ସିତ ହେଉଥିବା ଯୋଡା ପେଟ ଦୁଇ ଶିଶୁଙ୍କର ମେଡିକାଲ ଟେଷ୍ଟ ରିପୋର୍ଟ ଆସିଛି । ଉଭୟଙ୍କର ଗୋଟିଏ ହାର୍ଟ ଏବଂ ଗୋଟିଏ ଲିଭର ଥିବା ସ୍ପଷ୍ଟ ହୋଇଛି । ଶିଶୁଭବନ ଅଧିକ୍ଷକ ସରୋଜ ଶତପଥି ଏନେଇ ସୂଚନା ଦେଇଛନ୍ତି । ଏହାବାଦ ହୃତପିଣ୍ଡରେ ମଧ୍ୟ ଗୁରୁତର ସମସ୍ୟା ରହିଛି । ଏଭଳି ସ୍ଥିତିରେ ଏବେ ସେମାନଙ୍କୁ ଅପରେସନ ମାଧ୍ୟମରେ ଅଲଗା କରିବା ସମ୍ଭବ ନୁହେଁ । କଟକ ବଡ ମେଡିକାଲରେ ହୋଇଥିବା ସିଟି ସ୍କାନ ଏବଂ ଇକୋ କାର୍ଡିଓଗ୍ରାଫି ରିପୋର୍ଟରୁ ଏଭଳି ତଥ୍ୟ ମିଳିବା ପରେ ଡାକ୍ତରଙ୍କ ଚିନ୍ତା ବଢିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜନ୍ମ ପରେ ସେମାନଙ୍କ ଅବସ୍ଥା ସ୍ୱାଭାବିକ ନଥିବାରୁ ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ଶିଶୁଭବନରେ ଏକ ୧୨ଜଣିଆ ଟିମ୍ ଗଠନ କରାଯାଇ ସେମାନଙ୍କୁ ଚିକିତ୍ସା କରାଯାଉଥିଲା । ପରବର୍ତି ପଦକ୍ଷେପ ପାଇଁ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ରିପୋର୍ଟ ଆସିବା ପରେ ଏବେ ଡାକ୍ତରଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଛି । ଏହି ଡାକ୍ତରୀ ଟିମ୍ ମୁଖ୍ୟ ଡାକ୍ତର ପି.କେ. ଜେନା କହିଛନ୍ତି ଯେ ଗୋଟିଏ ହୃତ୍ପିଣ୍ଡକୁ ଅପରେସନ୍ ମାଧ୍ୟମରେ ଅଲଗା କରି ଦୁଇଟି ଜୀବନ ବଞ୍ଚାଇବା ସମ୍ଭବପର ନୁହେଁ। କୁତ୍ରିମ ହୃତପିଣ୍ଡରେ ମଧ୍ୟ ସର୍ବାଧିକ ୨୦ ଦିନ ଜୀବନ ବଞ୍ଚାଇବା ସମ୍ଭବପର ବୋଲି ଡାକ୍ତର ଜେନା କହିଛନ୍ତି।
ପ୍ରଫେସର ଡାକ୍ତର ସରୋଜ ଶତପଥୀ କହିବା ଅନୁଯାୟୀ ଇକୋ କାର୍ଡିଓଗ୍ରାଫିରୁ ହୃତପିଣ୍ଡରେ ଗୁରୁତର ତ୍ରୁଟି ବାହାରି ଥିବା ରେଡ଼ିଓଲୋଜିଷ୍ଟ ମତ ରଖିଛନ୍ତି। ଆସନ୍ତା ଦୁଇ ଦିନ ପରେ ଉଭୟଙ୍କ ଏମଆରଆଇ ସ୍କାନ୍ କରାଯିବ। ଏଥିରୁ ହୃତପିଣ୍ଡରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକାର ତ୍ରୁଟି ରହିଛି, ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରିବ। ଗୋଟିଏ ହୃତପିଣ୍ଡ ଦୁଇ ଜଣଙ୍କ ଶରୀରରେ ଥିବାରୁ କୌଣସି ପରିସ୍ଥିତି ହୃତପିଣ୍ଡ ଦୁଇ ଭାଗ କରାଯାଇ ପାରିବ ନାହିଁ। ଏବେ ଡ଼ାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ଭାବେ ଉପାୟଶୂନ୍ୟ ହୋଇପଡ଼ିଛି। ଏବେ ଅପରେସନ୍ କଲେ ଜୀବନ ପ୍ରତି ବହୁତ ରିସ୍କ ରହିଛି।
ଡାକ୍ତରୀ ଟିମ୍ ମୁଖ୍ୟ ଡାକ୍ତର ପି.କେ ଜେନା କହିବା ଅନୁଯାୟୀ ଏ କ୍ଷେତ୍ରରେ ପାଖାପାଖି ବର୍ଷେ ପର୍ୟ୍ୟନ୍ତ ଅପରେସନ୍ କରାଯାଇ ପାରିବ ନାହିଁ। ଏବେ ଦୁଇ ଶିଶୁ ଶିଶୁଭବନରେ ରହିବ। ଅକ୍ସିଜେନ ସବୁ ବେଳେ ଆବଶ୍ୟକ ପଡ଼ୁଛି। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲେ ମା’ କ୍ଷୀର କିମ୍ବା ଡବା କ୍ଷୀର ଦିଆଯିବ। ଉଭୟଙ୍କର କେଉଁ ଅଙ୍ଗ କେତେ ମାତ୍ରାରେ ସେୟାର ହୋଇଛି ସେ ସବୁର ପରୀକ୍ଷା ହେବ। ଡାକ୍ତରୀ ଗବେଷଣା କହୁଛି ଯେ ଏଭଳି ଜନ୍ମଗତ ସମସ୍ୟା ଦେଖାଦେଲେ ସଧାରଣତଃ ଦୁଇ ଦିନରୁ ଅଧିକ ଦିନ ୮୦ ପ୍ରତିଶତ ଶିଶୁ ବଞ୍ଚନ୍ତି ନାହିଁ। ୨୦ ପ୍ରତିଶତ ୬ ମାସ ପର୍ୟ୍ୟନ୍ତ ବଞ୍ଚନ୍ତି। ତା’ ପରେ ଯେଉଁମାନେ ବଞ୍ଚନ୍ତି, ସେମାନଙ୍କ ଅପରେସନ୍ କଥା ଚିନ୍ତା କରାଯାଏ। ପାଖାପାଖି ପାଞ୍ଚ ବର୍ଷ ନହେଲେ ଅପରେସନ୍ କରାଯାଏନି ବୋଲି ଡାକ୍ତର ଜେନା କହିଛନ୍ତି।