ଦବଙ୍ଗ ବିଧାୟକ ଗିରଫ : ଏସି/ଏସଟି ଏଟ୍ରୋସିଟି ଆକ୍ଟ ଅନୁସାରେ ସରୋଜ ମେହେରଙ୍କୁ ଗିରଫ କଲା ପାଟଣାଗଡ଼ ପୋଲିସ୍

593

କନକ ବ୍ୟୁରୋ : ଉଠବସ କରିଥିଲେ, ବନ୍ଧାହେଲେ । ଏସି/ଏସଟି ଏଟ୍ରୋସିଟି ଆକ୍ଟ ଅନୁସାରେ ଗିରଫ ହେଲେ ଦବଙ୍ଗ ବିଧାୟକ ସରୋଜ ମେହେର । ଜେଇଙ୍କୁ ସର୍ବସମ୍ମୁଖରେ ଉଠବସ ଘଟଣାକୁ ନେଇ ବିଧାୟକଙ୍କୁ ଗିରଫ କଲା ପାଟଣାଗଡ଼ ପୋଲିସ୍ । ଗିରଫ ପରେ ବିଧାୟକ ସରୋଜ ମେହରେଙ୍କୁ ଏଡ଼ିଜେ କୋର୍ଟକୁ ନିଆଯାଇଛି । ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିବେ ବିଧାୟକ । ଜେଇଙ୍କୁ ଉଠବସ ଘଟଣାରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଆଜି ସକାଳୁ ଅଟକ ରଖାଯାଇଥିଲା । ଗତକାଲି ରାତିରେ ସରୋଜଙ୍କୁ ନୂଆପଡାରୁ ବଲାଙ୍ଗୀର ଆଣିଥିଲା ପୋଲିସ । ଏହାପରେ ବଲାଙ୍ଗୀର ରିଜର୍ଭ ପୋଲିସ ବାରକରେ ପଚରାଉଚରା କରାଯାଇଥିଲା । ପଚରାଉଚରା ପରେ ବିଧାୟକଙ୍କୁ ପାଟଣାଗଡ ଥାନା ଅଣାଯାଇଥିଲା । ପାଟଣାଗଡ ଥାନାରେ ବଲାଙ୍ଗୀର ଏସପିଙ୍କ ସହ ପହଞ୍ଚିଥିଲେ ବିଧାୟକ । ଥାନାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ସୂଚନାଯୋଗ୍ୟ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଦେଖିବା ପରେ ତାତି ଉଠିଥିଲେ ବିଧାୟକ । ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ତେବେ ବିବାଦ ବଢ଼ିବା ପରେ କ୍ଷମା ମାଗିଥିଲେ ସରୋଜ । ଏହାକୁ ନେଇ ଜୁନ୍ ୬ ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ । କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ । ଏବଂ ସରୋଜଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ ।