ଶେଷ ହେଲା ଜବରଦଖଲ ଉଚ୍ଛେଦ : ମାଟିରେ ମିଶିଲା ବାହୁବଳୀଙ୍କ ମେଘନାଦ ପାଚେରୀ

32

କେନ୍ଦୁଝର : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଜବରଦଖଲ ଉଚ୍ଛେଦ ଶେଷ ହୋଇଛି । ଗତକାଲି ସନାତନଙ୍କ ବେଆଇନ ନିର୍ମାଣ ଭଙ୍ଗା ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ଆଜି ଦ୍ୱିତୀୟ ଦିନରେ ବାକି ଥିବା ପାଚେରୀକୁ ଭଙ୍ଗାଯାଇଥିଲା । ପାହାଡ ପରି ପାଚେରୀକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ୫ ଏକରରୁ ଅଧିକ ସରକାରୀ ଜମିରେ ବିଧାୟକ ସନାତନ ମହାକୁଡ କରିଥିବା ବେଆଇନ ନିର୍ମାଣକୁ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଭଙ୍ଗାଯାଇଛି । ୧୯୮୦ ମସିହାରୁ ଖଣିଜ ସଂପଦରେ ଭରପୁର ସର୍ବସାଧାରଣ ସଂପତିକୁ କବଜା କରିଛନ୍ତି କେନ୍ଦୁଝରର ଏହି ବିତଶାଳୀ ବିଧାୟକ । ପରେ ଏହାକୁ ଜଗତଜନନୀ ଟ୍ରଷ୍ଟ ନାଁରେ କରାଇ ଏକ ମନ୍ଦିର ମଧ୍ୟ ତୋଳିଛନ୍ତି । ତେବେ ସନାତନଙ୍କ ବିଶାଳ ଅଟ୍ଟାଳିକା ଭାଙ୍ଗିବ କି ପ୍ରଶାସନ, ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାକୁ ନ ଭାଙ୍ଗିବାକୁ କୋର୍ଟଙ୍କ ନିର୍ଦେଶ ଥିବା ଦାବି କରୁଛନ୍ତି ବିଧାୟକ ସନାତନ ମହାକୁଡ ।

ସେପଟେ ଗତକାଲି ଦିନତମାମ ଚର୍ଚ୍ଚାରେ ଥିବା ବିଧାୟକ ସନାତନ ମହାକୁଡଙ୍କ ଏସି ଗୁହାଳରେ ଆଜି ଚାଲି ନାହିଁ ପ୍ରଶାସନର ବୁଲଡୋଜର । କାରଣ ସନାତନଙ୍କ ଅନୁରୋଧକ୍ରମେ ଏହାକୁ ଭାଙ୍ଗିବା ପାଇଁ ୫ ଦିନ ସମୟ ଦେଇଛି ପ୍ରଶାସନ । ଏଠାରେ ରହୁଥିବା ଗୃହପାଳିତ ପଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପରେ ଗୁହାଳ ଭଙ୍ଗାଯିବ ବୋଲି ଜଣାପିଡିଛି ।