ଭାଙ୍ଗିଲା ଆନ୍ଦୋଳନ ! ତୁଟିଲା ଭିମସାର ବିବାଦ

35

କନକ ବ୍ୟୁରୋ : ବୁର୍ଲା ମେଡିକାଲ ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ସ୍ଥଗିତ । ରବିବାରରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଆଜି ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏଥିସହ ରୋଗୀ ସେବାରେ ଯୋଗ ଦେଇଛନ୍ତି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆନ୍ଦୋଳନରତ ଡାକ୍ତରୀ ଛାତ୍ର ପ୍ରତିନିଧି ଆଲୋଚନା କରିଥିଲେ । ଆଜି ଛାତ୍ର ପରିଷଦ ବୈଠକ ବସିଥିଲା । ଏଥିରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଥିଲା ।

ହସ୍ପିଟାଲ୍ ଡ୍ୟୁଟି ସମୟରେ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ଡାକ୍ତରଙ୍କୁ ଷ୍ଟିଙ୍ଗରେ ଧରିଥିଲେ ଭିମସାର ନିର୍ଦ୍ଦେଶକ । ଏହା ପ୍ରତିବାଦରେ ନିର୍ଦ୍ଦେଶକଙ୍କ ଘର ଉପରେ ପଥର ମାଡ କରିଥିଲେ ଅସନ୍ତୁଷ୍ଟ ଡାକ୍ତରୀ ଛାତ୍ର । ପରେ କ୍ୟାମ୍ପସରେ ଜୋର ଧରିଥିଲା ଡାକ୍ତର-ନିର୍ଦେଶକ ବିବାଦ । ଶନିବାରଠାରୁ ଛାତ୍ରଛାତ୍ରୀମାନେ ନିର୍ଦ୍ଦେଶକଙ୍କ ନିଲମ୍ବନ ଦାବିରେ ଆନ୍ଦୋଳନ ଚଳାଇଥିଲେ । ତେବେ ନିର୍ଦ୍ଦେଶକଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ନାଗରିକ ସମାଜ, ଅନୁଷ୍ଠାନ, ସଂଗଠନ ଓ ରାଜନେତା । ସୋମବାର ବୁର୍ଲା ବନ୍ଦ ମଧ୍ୟ କରିଥିଲେ ।

ସମ୍ବଲପୁରରୁ କଟକ ପହଂଚିଥିଲା ପ୍ରତିବାଦ । ବୁର୍ଲାରେ ଡାଇରେକ୍ଟରଙ୍କ ସମର୍ଥନରେ ସାଧାରଣ ଜନତା ବନ୍ଦ ପାଳନ କରିଥିବା ବେଳେ ପିଜି ଡାକ୍ତରଙ୍କ ପାଇଁ ବାହାରିଥିଲେ କଟକ ବଡ଼ ମେଡ଼ିକାଲର ପିଜି ଛାତ୍ର ସଂଘ । କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗଦେବା ସହ ବୁର୍ଲା ଘଟଣାର ପ୍ରତିବାଦ କରିଥିଲେ ଏସସିବି ପିଜି ଡାକ୍ତର ।

ପିଜି ଛାତ୍ରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବୁର୍ଲା ମେଡ଼ିକାଲରେ ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଭିମସାର ନିର୍ଦ୍ଦେଶକ ଏବଂ ପିଜି ଛାତ୍ରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା । ଧାରଣାରତ ଛାତ୍ରଙ୍କୁ ଭେଟିବାକୁ ଯାଇଥିବା ବେଳେ ଡାଇରେକ୍ଟରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ଡାଇରେକ୍ଟରଙ୍କୁ ।

ଅନ୍ୟପଟେ ଡାଇରେକ୍ଟରଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା ପିଜି ଛାତ୍ର ସଂଘ । ଲୋକ ଲଗାଇ ଭିମସାରେ ଏଭଳି ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଥିଲା । ଆଉ ଏହି ସବୁ ଉତ୍ତେଜନା ଭିତରେ ଭିମସାର କ୍ୟାମ୍ପସରେ ଦେଖିବାକୁ ମିଳିଥିଲା କିଛି ବିବାଦୀୟ ପୋଷ୍ଟର । ଯେଉଁଥିରେ ପିଜି ଛାତ୍ରଛାତ୍ରୀଙ୍କ ସଂପର୍କରେ ରହିଥିଲା କିଛି ଅଶ୍ଲୀଳ ବାର୍ତ୍ତା ।

ଭିମସାର ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଥିଲା ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ । ଯଥାଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ବିଶୃଙ୍ଖଳା କରୁଥିବା ବ୍ୟକିଙ୍କ ବିରୋଧରେ ଠୋସ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଥିଲା । ନିର୍ଦ୍ଦେଶକଙ୍କୁ ହଟାଗଲେ ଭିମସାରରେ ଶାନ୍ତି ଫେରିବ ବୋଲି ଓମସା କହିଥିଲା । ତେବେ ଆଜି ସମସ୍ୟାର ସମାଧାନ ହୋଇଛି ।