ମାନବିକତା ଦେଖାଇଲେ ଡ଼ାକ୍ତର ! ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି କଲେ ଗରିବ ରୋଗୀର ଚିକିତ୍ସା

73

କନକ ବ୍ୟୁରୋ : ଗତ କିଛି ଦିନ ଚର୍ଚ୍ଚାରେ ରହିଆସିଛି ବୁର୍ଲା ଇଙ୍ଗ ମେଡିକାଲ୍ । ଷ୍ଟିଙ୍ଗ୍ ଅପରେସନରେ ଏଠାକାର ଡାକ୍ତର କିପରି ଡ୍ୟୁଟି ସମୟରେ ବାହାରେ କାମ କରୁଛନ୍ତି, ତାହା ଜଣାପଡିଥିଲା । ଏହା ଡାକ୍ତରଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରିଛି । କିନ୍ତୁ ଏହାରି ଭିତରେ ଏମିତି ଜଣେ ଡାକ୍ତରଙ୍କ କାହାଣୀ ବି ସାମ୍ନାକୁ ଆସିଛି , ଯିଏ ଅଭାବୀ ରୋଗୀଙ୍କ ପାଇଁ ସାଜିଛନ୍ତି ଭଗବାନ ।

ସୂଚନା ଅନୁସାରେ, ମଧୁ ଭୂୟାଁଙ୍କ ପତ୍ନୀ ସୁମିତ୍ରା ଭୂୟାଁ ଜଟିଳ ଟ୍ୟୁମର ରୋଗରେ ପୀଡିତ । ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଙ୍କୁ ଦେଖାଇବା ପରେ ବୁର୍ଲା ମେଡିକାଲରେ ପଂହଚିଥିଲେ ମଧୁ । କିନ୍ତୁ ରକ୍ତ ଯୋଗାଡ ହୋଇନପାରିବାରୁ ନିରାଶ ହୋଇ ନିଜ ଗାଁ ଭଟଲିକୁ ଫେରି ଆସିଥିଲେ । ଅଭାବୀ ଜୀବନରେ ଦିନକାଳ କାଟୁ ଥିବା ମଧୁ ବିଭିନ୍ନ ସ୍ଥାନରୁ ଯୋଗାଡ କରି ପୁଣି ବୁର୍ଲା ଆସିଥିଲେ ସ୍ତ୍ରୀର ଚିକିତ୍ସା ପାଇଁ । କେବଳ ପରୀକ୍ଷା କରିବା ଭିତରେ ସରିଗଲା ସେ ଆଣିଥିବା ୨୦ ହଜାର ଟଙ୍କା । ଫଳରେ ନିରାଶ ହୋଇପଡିଥିଲେ ସୁମିତ୍ରା ଓ ମଧୁ ।

ନିରାଶା ହୋଇପଡିଥିବା ଏହି ଦମ୍ପତିଙ୍କ ପାଇଁ ଭଗବାନଙ୍କ ଦୂତ ଭାବେ ଆସିଥିଲେ ଡାକ୍ତର ବେଣୁଧର ପାଣ୍ଡେ । ଅପରେସନ ଜରୁରୀ ହୋଇପଡିଥିବା ବେଳେ ଏହି ଅର୍ଥାଭାବରେ ଥିବା ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଥିଲେ ଡାକ୍ତର ଜଣକ । ରୋଗୀଙ୍କୁ ଅଟକାଇବା ସହ ସେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଔଷଧ ଓ ସରଂଜାମ ବ୍ୟବସ୍ଥା କରିଥିଲେ । ଦୀର୍ଘ ୨ ଘଂଟାର ଅସ୍ତ୍ରୋପଚାର ପରେ ସୁମିତ୍ରାଙ୍କ ପେଟରୁ ଏକ ବିରାଟ ଟ୍ୟୁମର ବାହାରିଥିଲା ଏବଂ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସୁମିତ୍ରା ।