ଆସନ୍ତାକାଲି ସମ୍ବାଦ, କନକ ନ୍ୟୁଜ ଓ ରେଡିଓ ଚକୋଲେଟର ବାର୍ଷିକୋତ୍ସବ! ରାଜ୍ୟସ୍ତରୀୟ ବକ୍ତୃତା, ସାରେଗାମା ପ୍ରତିଯୋଗୀତାରେ କୃତୀ ପ୍ରତିଭାଙ୍କୁ କରାଯିବ ପୁରସ୍କୃତ

29

କନକ ବ୍ୟୁରୋ : ଆସନ୍ତାକାଲି ସମ୍ବାଦ, କନକ ନ୍ୟୁଜ୍ ଓ ରେଡିଓ ଚକୋଲେଟର ସ୍ୱନକ୍ଷତ୍ର ଉତ୍ସବ । ଏହି ଅବସରରେ ରାଜ୍ୟ ସ୍ତରୀୟ ବିର୍ତ୍ତକ ଏବଂ ସାରେଗାମା ସଙ୍ଗୀତ ଭିତ୍ତିକ ପ୍ରତିଯୋଗିତା ଭୁବନେଶ୍ୱର ଜୟଦେବଭବନରେ ଅନୁଷ୍ଠିତ ହୋଇଛି । ସମଗ୍ର ରାଜ୍ୟରୁ ୯ଟି ଜୋନରେ ହୋଇଥିବା ବିତର୍କ ପ୍ରତିଯୋଗୀତାରେ ଉତ୍ତିର୍ଣ୍ଣ ହୋଇ ୩ଜଣ ଲେଖାଏଁ ପ୍ରତିଯୋଗୀ ଆସିଥିଲେ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ । ଏମାନଙ୍କ ମଧ୍ୟରୁ ଆଇଏମଏସ୍ ଭୁବନେଶ୍ୱରର କିରଣ କୁମାର ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରେଭେନ୍ସାର ପ୍ରଜ୍ଞା ପାରମିତା ପତ୍ରି ଦ୍ୱିତୀୟ ସ୍ଥାନ ଓ ରମାଦେବୀ ବିଶ୍ୱବିଦ୍ୟାଳୟର ମୋନାଲି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

‘ସ୍ଥିର ସରକାର ବିକାଶ ପାଇଁ ଜରୁରୀ’ ଏହି ଶୀର୍ଷକରେ ହୋଇଥିବା ଏହି ପ୍ରତିଯୋଗିତାରେ ପୂର୍ବତନ ଡିଜି ଶରତ ମିଶ୍ର, କଂଗ୍ରେସ ନେତା ଗଣେଶ୍ୱର ବେହେରା, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ପୂର୍ବତନ ସୂଚନା କମିଶନର ଜଗତାନନ୍ଦ, ବିଚାରକ ଦାୟିତ୍ୱ ତୁଲାଇଥିଲେ । ସେପଟେ ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ଗୁରୁଜୀ ହରେକୃଷ୍ଣ ମହାବିଦ୍ୟାଳୟର ସୁପାଲି ମହାପାତ୍ର ପ୍ରଥମ ହୋଇଥିବା ବେଳେ ଖଲିକୋଟ ମହାବିଦ୍ୟାଳୟର ସାଇନା ରଥ ଦ୍ୱିତୀୟ ସ୍ଥାନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୋମ୍ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାକୁ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟନାୟକ, ଗୀତା ପଟନାୟକ ଓ ପଙ୍କଜ୍ ଜାଲ୍ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ଏହି ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତାକାଲି ସମ୍ବାଦ ଏବଂ କନକନ୍ୟୁଜ୍ ସ୍ୱନକ୍ଷତ୍ର ଉତ୍ସବରେ ରାଜ୍ୟପାଳ ପୁରସ୍କୃତ କରିବେ । ସେହିପରି ‘ନେତାଙ୍କ ପିଲା ନେତା ହେବା ଉଚିତ କି’ ଶୀର୍ଷକରେ କନକ ନ୍ୟୁଜ ପକ୍ଷରୁ ହୋଇଥିବା ଡିବେଟରେ ମତ ଦେଇଛନ୍ତି ବିଶିଷ୍ଟ ବ୍ୟକ୍ତି ।