ଯୁବ ସ୍ୱାଭିମାନ ଦିବସରେ ବିରଳ ରେକର୍ଡ । ସାରା ରାଜ୍ୟରେ ମୋଟ ୫୭୧୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା

38

କନକ ବ୍ୟୁରୋ : ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ‘ଯୁବ ସ୍ୱାଭିମାନ ଦିବସ’ ଭାବେ ପାଳନ କରାଯାଇଛି। ସାରା ରାଜ୍ୟରେ ୬୯ଟି ଶିବିରରୁ ମୋଟ୍ ୫୭୧୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ରକ୍ତଦାନ ଅଭିଯାନକୁ ଏକ ନୂଆ ଦିଶା ଦେଖାଇଥିବା ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ରକ୍ତଦାନ ଶିବିର ଗୁଡ଼ିକର ଆୟୋଜନ କରାଯାଇଥିଲା। ତେବେ ଏହି କାର୍ୟ୍ୟକ୍ରମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କରାଯାଇଥିବା ସୂଚନା ମିଳିଛି । ସକାଳୁ ବିଳମ୍ବିତ ସଂଧ୍ୟା ପର୍ୟ୍ୟନ୍ତ ବିଭିନ୍ନ ଶିବିରରେ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରକ୍ତ ଦେବାକୁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଗୋଟିଏ ଦିନରେ ରକ୍ତଦାନ ସଂଗ୍ରହ କ୍ଷେତ୍ରରେ ଏହା ଏକ ବିରଳ ରେକର୍ଡ।

 

‘ସମ୍ବାଦ’ର ୯ଟି ଜୋନ୍ରେ ୬୯ଟି ଶିବିର କରି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକ ଜୋନରେ ରେଭେନ୍ସା ଇଷ୍ଟ ହଷ୍ଟେଲ୍ ଶିବିରରେ ସର୍ବାଧିକ ୩୭୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ସମ୍ବଲପୁର ଜୋନ୍ ଭୂଷଣ ଷ୍ଟିଲ୍ ପ୍ଲାଣ୍ଟ ଶିବିରରେ ୩୨୯ ୟୁନିଟ୍ ଏବଂ ଭୁବନେଶ୍ୱର ଜୋନରେ ନୟାଗଡ଼ ଜିଲ୍ଲା ଭାପୁର ଶିବିରରେ ୩୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅପରପକ୍ଷେ ସମ୍ବଲପୁର ଜୋନରେ ଗୋଟିଏ ଦିନରେ ସର୍ବାଧିକ ୨୫ଟି ଶିବିରରେ ୧୯୯୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ କଟକ ଜୋନରେ ୫ଟି ଶିବରରେ ୮୦୬ୟୁନିଟ, ବାଲେଶ୍ୱର ଜୋନରେ ୧୧ଟି ଶିବିରରେ ୬୬୫ୟୁନିଟ, ଭୁବନେଶ୍ୱର ଜୋନରେ ୭ଟି ଶିବିରରେ ୮୦୪ୟୁନିଟ, ଯାଜପୁର ଜୋନରେ ୫ଟି ଶିବିରରେ ୨୯୨ୟୁନିଟ, ଅନୁଗୁଳ ଜୋନ୍ରେ୪ଟି ଶିବିରରେ ୪୪୫ୟୁନିଟ, ରାଉରକେଲା ଜୋନରେ ୪ଟି ଶିବିରରେ ୨୧୮ୟୁନିଟ, ବ୍ରହ୍ମପୁର ଜୋନରେ ୪ଟି ଶିବିରରେ ୨୨୮ୟୁନିଟ, ଜୟପୁର ଜୋନରେ ୪ଟି ଶିବିରରେ ୨୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହାଦ୍ୱାରା ରାଜ୍ୟର ସମସ୍ତ ରକ୍ତ ଭଣ୍ଡାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଆବଶ୍ୟକୀୟ ପରିମାଣର ରକ୍ତ ସଂଗ୍ରହ କରିପାରିଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ୫ହଜାରରୁ ଅଧିକ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ଏହି କାର୍ଯ୍ୟକ୍ରମକୁ ଏକ ନୂତନ ସ୍ତରକୁ ନେଇଯାଇଛି। ରକ୍ତଦାନ ଶିବିରଗୁଡ଼ିକୁ ବିଭିନ୍ନ ଜିଲ୍ଲାର ରେଡକ୍ରସ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ପରିଚାଳନା କରିଥିବାବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କର୍ମଚାରୀମାନେ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ୫ବର୍ଷ ମଧ୍ୟରେ ‘ଯୁବ ସ୍ୱାଭିମାନ ଦିବସ’ରେ ରକ୍ତ ସଂଗ୍ରହ ହେବାରେ ଚଳିତବର୍ଷ ସବୁ ରେକର୍ଡକୁ ଭାଙ୍ଗିଛି। ଚଳିତବର୍ଷ ୫୭୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୧୭ରେ ୫୧୧୪ ୟୁନିଟ, ୨୦୧୬ରେ ୩୭୦୫ ୟୁନିଟ, ୨୦୧୫ରେ ୪୨୬୨ୟୁନିଟ, ୨୦୧୪ରେ ୩୭୦୨ ୟୁନିଟ, ୨୦୧୩ରେ ୩୪୩୯ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ପକ୍ଷରୁ ସମସ୍ତ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।