ମହଙ୍ଗା ମାଡରୁ ମିଳିପାରେ ଆଶ୍ୱସ୍ତି ! ଡଲାର ତୁଳନାରେ ଶକ୍ତ ହେଉଛି ଟଙ୍କା, ଆହୁରି ଶସ୍ତା ହେବ ତେଲ ଦର ।

357

କନକ ବ୍ୟୁରୋ : ନୂଆବର୍ଷରେ ଭାରତୀୟ ଅର୍ଥନୀତି ପାଇଁ ଆସିପାରେ ଭଲ ଖବର । ତଳକୁ ତଳକୁ ଖସିଚାଲିଥିବା ଭାରତୀୟ ମୁଦ୍ରା ପୁଣି ଫେରିପାଇବ ଶକ୍ତି । ସେହିପରି ତେଲ ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପରେ ଅର୍ଥନୀତିଜ୍ଞ ଏହା କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦରରେ କମ୍ ବେଶୀର ହେବା ଭାରତର ଅର୍ଥନୀତିକୁ ବେଶ୍ ପ୍ରଭାବିତ କରିଥାଏ । ଆଉ ଏହାର ପ୍ରଭାବ ଟଙ୍କାର ମୂଲ୍ୟ ଉପରେ ପଡ଼ିଥାଏ ।

ଗତ କିଛି ମାସ ହେଲା ଟଙ୍କାର ମୂଲ୍ୟ ଲଗାତର ଭାବେ କମି ଚାଲିଛି । ଏପରିକି ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨ ଟଙ୍କାକୁ ମଧ୍ୟ ଖସି ଆସିଥିଲା । ଟଙ୍କାର ମୂଲ୍ୟ କମିଲେ ବିଦେଶରୁ ଆମଦାନୀ ମହଙ୍ଗା ହୁଏ । ବିଦେଶରୁ ସମାନ ଦ୍ରବ୍ୟ କିଣିବାକୁ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଦେବାକୁ ପଡ଼ିଥାଏ । ତେବେ ଏବେ ଏସବୁରେ ସୁଧାର ନେଇ ପୂର୍ବାନୁମାନ ପରେ ଆଶା ସଂଚାର ହୋଇଛି । ଏହା ସହ ତେଲଦର ଓ ଟଂକାର କମୁଥିବା ମୂଲ୍ୟ ନେଇ ସମାଲୋଚନାର ଶୀକାର ହୋଇଥିବା ମୋଦି ସରକାରଙ୍କୁ କିଛିଟା ଆଶ୍ୱସ୍ତି ମିଳିବ । ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତିରେ ଏହା ଏକ ମୁଦ୍ଦା ପାଲଟିପାରେ ।