ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ! ରଥ ଓ ପଥ ପ୍ରସ୍ତୁତ, ମରିଚି କୁଣ୍ଡରୁ ପାଣି ଆସି ହେଲା ପଥ ପ୍ରତିଷ୍ଠା

76

କନକ ବ୍ୟୁରୋ: ଆଜି ଅଶୋକାଷ୍ଟମୀ । ରଥ ଚଢି ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଲିଙ୍ଗରାଜ । ଏଥିପାଇଁ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ । ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥରେ ସିଂହାସନ ଓ ପାଶ୍ୱମୂର୍ତି ଲାଗିବା ସହ ମୂର୍ତ୍ତି ବାରେଣୀ, ପ୍ରଭା, ଘୋଡା, ଇଶ ଓ ଚାରିଦ୍ୱାର ଲଗାଯାଇଛି । ଆଜି ରଥରେ ସଖୀ ଓ ଘୋଡା ଲଗାଯିବ । ଗତକାଲି ସପ୍ତମୀ ତିଥିରେ ରଥରେ ନେତ ବନ୍ଧା ହେବା ସହ ରାତିରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା ।

ବିଧି ମୁତାବକ କେଦାର ଗୌରୀ ନିକଟ ମୁକ୍ତେଶ୍ୱର ମନ୍ଦିର ନିକଟ ମରିଚୀ କୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ହୋଇଥିଲା । ଆଜି ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ରୁକୁଣା ରଥଯାତ୍ରାରୁ ଠାକୁର ମନ୍ଦିରକୁ ଯିବା ଯାଏଁ କିଭଳି ଶାନ୍ତିଶୃଙ୍ଖଳା ରହିବ ଓ ଟ୍ରାଫିକ ବ୍ୟବସ୍ଥା ଠିକ୍ ରହିବ ସେ ନେଇ ପଦକ୍ଷେପ ନିଆଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ କେତେ ସ୍ଥାନରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ରୁକୁଣା ରଥ ଯାତ୍ରାକୁ ଜଗିବେ ୮୦ ଅଫିସର ଓ ୨୨ ପ୍ଲାଟୁନ ଫୋର୍ସ ।