ବିଧାନସଭାରେ ବିଡମ୍ବନା । ଧାରଣାରେ ବସିଲେ ବିରୋଧୀ ନେତା, ପ୍ରସଙ୍ଗ ଲୋକାୟୁକ୍ତ ନିଯୁକ୍ତି

53

କନକ ବ୍ୟୁରୋ: ବିଧାନସଭାରେ ପୁଣି ଲୋକପାଳ ତାତି । ଲୋକାୟୁକ୍ତ ବିଲର ସ୍ଥିତି କଣ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ । ବିରୋଧୀଙ୍କ ଏହି ଦାବୀ ଯୋଗୁ ଗୃହ କାର୍ଯ୍ୟ ଅଚଳ । ଗତ କାଲି ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟଙ୍କ ସମାନ ଦାବୀ ଯୋଗୁଁ ଗୃହ ସ୍ୱାଭାବିକ ହୋଇପାରିନଥିଲା । ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ମାନେ ଗୃହର ମଧ୍ୟ ଭାଗରେ ବସି ନୀରବ ପ୍ରତିବାଦ କରିଥିଲେ । ଏପରିକି ବିରୋଧରଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ବିଧାନସଭା ଚଟାଣରେ ଧାରଣା ଦେବା ଦେଖାଯାଇଥିଲା ।

ମଙ୍ଗଳବାର ବିଧାନସଭା ଆରମ୍ଭରୁ ସାମ୍ନାକୁ ଆସିଥିଲା ଏଭଳି ଅଭାବନୀୟ ଘଟଣା । ଲୋକାୟୁକ୍ତ ବିଲର ସ୍ଥିତି କଣ, ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବୀ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀଦଳ ନେତା ନରସିଂହ ମିଶ୍ର । ଆଉ ତାପରର ଦୃଶ୍ୟ ବୋଧେ କେବେ ଦେଖାଯାଇନଥିଲା । ସିଧାସଳଖ ଗୃହର ମଧ୍ୟ ଭାଗକୁ ଆସି ପୋଡିୟମ ତଳେ ଧାରଣାରେ ବସିଯାଇଥିଲେ ନରସିଂହ । ଗୃହରେ ଉପସ୍ଥିତ କଂଗ୍ରେସ ବିଧାୟକ ମାନେ ମଧ୍ୟ ନେତାଙ୍କ ସହ ତଳେ ବସି କରିଥିଲେ ନୀରବ ପ୍ରତିବାଦ । ସେପଟେ ଲୋକାୟୁକ୍ତ ବିଲ ପ୍ରସଙ୍ଗରେ କଂଗ୍ରେସ ସହ ସ୍ୱର ମିଳାଇଥିଲା ବିଜେପି । ବିଧାୟକ ଦଳ ନେତା କେ. ଭି ସିଂହଦେଓଙ୍କ ସହ ବିଜେପି ସଭ୍ୟ ମଧ୍ୟ ଗୃହ ମଧ୍ୟରେ ଧାରଣା ଦେଇଥିଲେ । ଫଳରେ ବାଚଷ୍ପତି ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ।

ସେହିପରି ସୋମବାର ମଧ୍ୟ ଉଭୟ ବିରୋଧୀ ଲୋକପାଳ ଓ ଲୋକାୟୁକ୍ତ ପ୍ରସଙ୍ଗରେ ସରାକରଙ୍କୁ ଘେରିଥିଲେ । ଫଳରେ ଗୃହ ଚାଲିବାରେ ଅସୁବିଧା ହୋଇଥିଲା । ଏପରିକି ସରକାରୀ ଦଳକୁ ବିନା ବିରୋଧୀଦଳରେ ପୈାର ସଂଶୋଧନ ବିଲକୁ ଗୃହୀତ କରିବାକୁ ପଡିଥିଲା । ଏଠାରେ ଆମେ କହି ରଖୁଛୁ କି, ଦେଶର ପ୍ରଥମ ରାଜ୍ୟଭାବେ ଲୋକାୟୁକ୍ତ ବିଲ ଆଣିଥିଲେ ଓଡିଶା ସରକାର । କିନ୍ତୁ ଏହାର କାର୍ଯ୍ୟକାରିତାକୁ ନେଇ ପଛଘୁଂଚା ଦେଇଛନ୍ତି ସରକାର ।