ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆରଏସଏସର ସ୍ୱାଗତ : ଚୂଡ଼ାନ୍ତ ରାୟକୁ ଜୟ ପରାଜୟ ଦୃଷ୍ଟିରେ ନଦେଖିବାକୁ ଅନୁରୋଧ କଲେ ମୋହନ ଭାଗବତ

194

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ ରାୟକୁ ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘ ସ୍ଵାଗତ କରିଛି । ଆର ଏସଏସ ମୁଖ୍ୟ କହିଛନ୍ତି ‘ଆମେ ଏହି ରାୟକୁ ମାନିବୁ । ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ଜନଭାବନା, ଆସ୍ଥା ଓ ଶ୍ରଦ୍ଧାକୁ ନ୍ୟାୟ ଦେଉଥିବା ନିର୍ଣ୍ଣୟ ଦେଇଛନ୍ତି । ଏବେ ଆମେ ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିବା ଉଚିତ । ରାୟକୁ ଜୟ- ପରାଜୟ ଦୃଷ୍ଟିରେ ଦେଖିବା ଉଚିତ୍ ନୁହଁ । ସତ୍ୟ ଓ ନ୍ୟାୟର ମନ୍ଥନରୁ ପ୍ରାପ୍ତ ନିଷ୍କର୍ସକୁ ଭାରତର ସଂପୂର୍ଣ୍ଣ ସମାଜ ବନ୍ଧୁତା ସଂଦର୍ଭରେ ଏହାକୁ ଦେଖିବା ଉଚିତ୍ । ଏହାସହ ସେ ସେ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ବି ନିବେଦନ କରିଛନ୍ତି ।

ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି, ଦଶନ୍ଧି ଧରି ଚାଲିଥିବା ଲମ୍ବା ଆଇନଗତ ପ୍ରକ୍ରିୟା ପରେ ଏହା ବିଧି ସମ୍ମତ ଅନ୍ତିମ ନିର୍ଣ୍ଣୟ ହୋଇଛି । ଏହି ଲମ୍ବା ପ୍ରକ୍ରିୟାରେ ଶ୍ରୀରାମ ଜନ୍ମଭୂମି ସମ୍ବନ୍ଧିତ ସମସ୍ତ ଦିଗକୁ ତନ୍ନ ତନ୍ନ କରି ବିଚାର କରାଯାଇଛି ।  ଏବେ ଅତୀତକୁ ଭୁଲିଯାଇ ଆମେ ରାମ ମନ୍ଦିର ନିର୍ମାଣ ଲାଗି ଏକାଠି ହେବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ,ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସଜିଦ୍ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ। ବୋର୍ଡ ଅଫ୍ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ।