ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବାବା ରାମଦେବଙ୍କ ବଡ ବୟାନ୍ । କହିଲେ, ଚରିତାର୍ଥ ହେଲା ‘ସତ୍ୟମେବ ଜୟତେ’ ଅର୍ଥ, ଦେଶ ଆସ୍ଥା ନୁହେଁ, ସମ୍ବିଧାନ ଯୋଗୁଁ ଚାଲେ ।

490

କନକ ବ୍ୟୁରୋ : ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାବା ରାମଦେବ । ରାମଦେବ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହା ଐତିହାସିକ ନିଷ୍ପତ୍ତି । ଆଜି ସତ୍ୟମେବ ଜୟତେ ଅର୍ଥ ଚରିତାର୍ଥ ହୋଇଛି । ପୂର୍ବଜଙ୍କୁ ସମ୍ମାନ ଦେବାକୁ ରାମ ମନ୍ଦିର ନିର୍ମାଣ ହେବା ଜରୁରୀ ବୋଲି କହିଛନ୍ତି ବାବା ରାମଦେବ ।

ଏହା ସହ ସେ କହିଛନ୍ତି, ଦେଶ ଆସ୍ଥା ନୁହେଁ, ସମ୍ବିଧାନ ଯୋଗୁଁ ଚାଲେ, ଯାହା ଆଜି ପ୍ରମାଣିତ ହୋଇଛି । ବଡ ହୃଦୟ ସହ ହିନ୍ଦୁ ଭାଇମାନେ ମସଜିଦ୍ ନିର୍ମାଣ ପାଇଁ ସହଯୋଗ କରିବା ଆବଶ୍ୟକ । ସେହିପରି ଭାଇଚାରାକୁ ଆଗକୁ ନେଇ ମୁସଲିମ୍ ଭାଇମାନେ ମଧ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରିବା ଆବଶ୍ୟକ । ଆଉ ଏମିତି ହେଲେ ଦୁନିଆରେ ଭାଇଚାରାର ଏକ ନୂଆ ଉଦାହରଣ ସୃଷ୍ଟି ହେବ ଏବଂ ଭାରତର ଗୌରବ ବଢିବ । କାରଣ ବର୍ତ୍ତମାନ ସମୟରେ ପୁରା ବିଶ୍ୱର ନଜର ଅଯୋଧ୍ୟା ଉପରେ ଅଟକି ରହିଛି ।

ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ବିବାଦର ଅବସାନ କରି ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ନ୍ୟାୟିକ ଇତିହାସରେ ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା ମାମଲାର ସମାଧାନ ପାଇଁ ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଧ୍ୟାତ୍ମିକ ସ୍ଥଳ ଅଯୋଧ୍ୟାର ରାମ ଜନ୍ମଭୂମିରେ ନିର୍ମାଣ ହେବ ରାମମନ୍ଦିର । ରାମ ଜନ୍ମଭୂମୀ ନ୍ୟାସକୁ ବିବାଦୀୟ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।