ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ! ମେ ମାସରେ ହେବ ଟ୍ରମ୍ପ୍-ଉନଙ୍କ ମଧ୍ୟରେ ସାକ୍ଷାତକାର

49

କନକ ବ୍ୟୁରୋ : ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଢେର ଦିନ ଧରି ଉତ୍ତେଜନା ଲାଗି ରହିବା ପରେ ନରମିଛନ୍ତି ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ । ଦକ୍ଷିଣ କୋରିଆ ନିୟମିତ ଭାବେ ଉତ୍ତର କୋରିଆ-ଆମେରିକା ବିବାଦରେ ମଧ୍ୟସ୍ଥତା କରିଆସିଛି ଓ ଫଳସ୍ୱରୂପ ଟ୍ରମ୍ପ କିମ୍ ଜଙ୍ଗ୍ ଉନଙ୍କୁ ମେ ମାସରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି । ଅନ୍ୟପଟେ ସମସ୍ତ ପ୍ରକାର ପରମାଣୁ ପରୀକ୍ଷଣ ରୋକିବାକୁ ଉନ୍ ରାଜି ହୋଇଥିବା ଜଣାପଡ଼ିଛି ।

ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ଉନ୍ଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ହ୍ୱାଇଟ୍ ହାଉସ୍ ପ୍ରବକ୍ତା ସାରା ସ୍ୟାଣ୍ଡର୍ସଙ୍କ ସୂଚନା ଅନୁଯାୟୀ ମେ ମାସରେ ଉନଙ୍କୁ ଭେଟିବାକୁ ସହମତି ପ୍ରକାଶ କରିଛନ୍ତି ଟ୍ରମ୍ପ୍ । ଅନ୍ୟପଟେ କିମ୍ ଜଙ୍ଗ୍ ପରମାଣୁ ପରୀକ୍ଷଣ ଉପରେ ରୋକ୍ ଓ ନିରସ୍ତ୍ରୀକରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆ ମୁଖ୍ୟ ସୁରକ୍ଷା ପରାମର୍ଶଦାତା ଚୁଙ୍ଗ୍ ୟିଂ ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି । ପୂର୍ବରୁ ଟ୍ରମ୍ପଙ୍କୁ ସାକ୍ଷାତକାର ପାଇଁ ନିମନ୍ତ୍ରଣ କରିଥିଲେ କିମ୍ ଜଙ୍ଗ୍ । ଏଥିସହ ଏକ ବଡ଼ ଯୁଦ୍ଧ ପରିସ୍ଥିତି ଟଳିବାର ସମ୍ଭାବନା ଦେଖାଦେଇଛି ।

ଲଗାତାର ପରମାଣୁ ପରୀକ୍ଷଣ ସହ ପୂର୍ବରୁ ସୁପର୍ ପାୱାର୍ ଆମେରିକାର ଶକ୍ତିକୁ ଚାଲେଂଜ୍ କରିଆସିଛନ୍ତି ଉନ୍ । କେବେ ୱାଶିଂଟନ୍କୁ ଉଡ଼ାଇଦେବା ତ ପୁଣି କେବେ ନିଜ ଟେବୁଲରେ ପରମାଣୁ ବଟନ୍ ଥିବାର କଥା କହି ଟ୍ରମ୍ପ୍ଙ୍କୁ ବାରମ୍ବାର ଟାର୍ଗେଟ୍ କରି ଛନ୍ତି ଉନ୍ । ଅନ୍ୟପଟେ ଟ୍ରମ୍ପ୍ ମଧ୍ୟ କଡ଼ା ଆଭିମୁଖ୍ୟ ଦେଖାଇ ଆର୍ଥିକ କଟକଣା ଜାରି କରିବାରେ ସଫଳ ହୋଇଛନ୍ତି । ଏବେ କାହାଣୀରେ ଆସିଛି ଭିନ୍ନ ଧରଣର ମୋଡ଼ ।

୯ ଅକ୍ଟୋବର ୨୦୦୬ ମସିହା । ପ୍ରଥମ ଥର ପାଇଁ ଆଣବିକ ପରୀକ୍ଷଣରେ ସଫଳତା ହାସଲ କରିଥିବା ଘୋଷଣା କରେ ଉତ୍ତର କୋରିଆ । ପରମାଣୁ ପରୀକ୍ଷଣକୁ ନେଇ ବିରୋଧାଭାସର ଶିକାର ହୁଏ ଉତ୍ତର କୋରିଆ । ବିଶେଷ କରି ଆମେରିକା ପକ୍ଷରୁ ଉତ୍ତର କୋରିଆ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଏ । ସମୟକ୍ରମେ ଅଧିକରୁ ଅଧିକ ପରମାଣୁ ପରୀକ୍ଷଣ ଯୋଗୁ ପ୍ରତିକ୍ରିୟା ପ୍ରକାଶ କରେ ଆମେରିକା । ସେହିପରି ୨୦୧୦ ମସିହାରେ ଉତ୍ତର କୋରିଆର ଯୁଦ୍ଧ ଜାହାଜ ଚେଓନାନ୍ ବୁଡ଼ିବା ଘଟଣା ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦୂରତା ବୃଦ୍ଧି କରାଏ । ଇରାକର ସଦ୍ଦାମ ହୁସେନ ଓ ଲିବିୟାର ଗଦାଫି ସରକାରକୁ ଗାଦିଚ୍ୟୁତ କରିବା ପରେ ଆମେରିକା କିମ୍ ଜଙ୍ଗ୍ ଉନଙ୍କ ଉପରେ ନଜର ପକାଉଥିବା ଉତ୍ତର କୋରିଆ କହେ । ଜାତିସଂଘର ଆର୍ଥିକ ପ୍ରତିବନ୍ଧକ, ଚୀନ୍ ଉପରେ ଚାପ, ସହଯୋଗୀ ଦେଶଗୁଡ଼ିକର ଉଦ୍ୟମ ଯୋଗୁ ତେବେ ସ୍ଥିତି ବଦଳେ । ଆଗକୁ ଉନ୍ ଓ ଟ୍ରମ୍ପଙ୍କ ସାକ୍ଷାତ ଏହାକୁ ଦେଇପାରେ ଭିନ୍ନ ମୋଡ଼ ।