ଶୋଚନୀୟ ଅବସ୍ଥାରେ ବଲାଙ୍ଗିର ଖୁଜେନପାଲି ରାସ୍ତା : ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା

37

କନକ ବ୍ୟୁରୋ : ରାସ୍ତା କାମ ହୋଇ ପାରୁ ନ ଥିବାରୁ ହନ୍ତସନ୍ତ ହେଉଛନ୍ତି ଖୁଜେନପାଲି ବାସିନ୍ଦା । ବଲାଙ୍ଗିର ସହରରେ ଥିବା ଖୁଜେନପାଲି ରାସ୍ତାର ହୋଇଛି ଏଭଳି ଅବସ୍ଥା । ପିଡବ୍ଲ୍ୟୁଡି ତରଫରୁ ଆରମ୍ଭ ହୋଇଥିଲା ସର୍କିଟ ହାଉସ୍ ଠାରୁ ବାବା ମଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ । କିନ୍ତୁ କିଛି ଦୂର କାମ ହେବା ପରେ ବନ୍ଦ ହୋଇ ଯାଇଛି । ଆଉ ଏବେ ବର୍ଷା ଦିନ ହୋଇଥିବାରୁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ଲୋକେ ।

ଦେଢ କିଲୋମିଟରର ଲମ୍ବା ଏହି ରାସ୍ତା ନିର୍ମାଣ ଆରମ୍ଭ ହେବା ପରେ ଅଧାରୁ ବନ୍ଦ ହୋଇଛି । କାରଣ ଏହି ଜଣେ ବ୍ୟକ୍ତିଙ୍କ ପ୍ଲଟ୍ ଉପର ଦେଇ ରାସ୍ତା ଯାଇଥିବାରୁ ସେ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି । ଫଳରେ ଅଧାପନ୍ତରିଆ ହୋଇ ପଡିରହିଛି ଖୁଜେନପାଲି ରାସ୍ତା । ବର୍ଷା ଲାଗି ରହିଥିବାରୁ ଖୁଜେନପାଲି ରାସ୍ତାର ଅବସ୍ଥା ଏବେ ନକହିବା ଭଲ । ସ୍ଥାନୀୟ ବାସିନ୍ଦାଙ୍କ ସହ ସ୍କୁଲ ଛାତ୍ରଛାତ୍ରୀମାନେ ବି ରାସ୍ତା ଯୋଗୁ ଭୋଗୁଛନ୍ତି ସମସ୍ୟା ।

ରାସ୍ତା ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କ କହିବା କଥା ହେଲା ମାମଲା ଏବେ କୋର୍ଟରେ ରହିଛି । ତେବେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ଲିଖିତ ଅନୁରୋଧ କରିଥିବା ଜଣାଇଛନ୍ତି । ଦୈନିକ ଶହ ଶହ ଲୋକଙ୍କ ଯାତାୟତ ପାଇଁ ବ୍ୟବହାର ହେଉଥିବା ଏହି ମୁଖ୍ୟ ରାସ୍ତାର ସମସ୍ୟା ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।