ହାଣ୍ଡିଶାଳରୁ ହେଭିୱେଟ୍ । ଓଡ଼ିଶା ରାଜନୀତିରେ ଇତିହାସ ରଚିଲେ ରୀତା ସାହୁ । ଗୃହିଣୀରୁ ବନିଲେ ସର୍ବାଧିକ ଲୋକପ୍ରିୟ ବିଧାୟିକା ।

490

କନକ ବ୍ୟୁରୋ : ହାଣ୍ଡିଶାଳରୁ ହେଭିୱେଟ୍ । ବିଜେପୁର ଉପନିର୍ବାଚନରେ ବିଜୟ ସହ ରେକର୍ଡ ରଚିଛନ୍ତି ରୀତା ସାହୁ । ଆଉ ଏହି ରେକର୍ଡ ହେଉଛି, ସବୁଠୁ ଅଧିକ ଭୋଟ୍ ବ୍ୟବଧାନରେ ନିର୍ବାଚନ ବିଜୟୀ ହେବା । ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ନବୀନ ଯେତିକି ଭୋଟ ପାଇଥିଲେ, ତାଙ୍କୁ ଟପି ଯାଇଛନ୍ତି ରୀତା ସାହୁ ।

ବିଜେପୁର କଂଗ୍ରେସ ଗଡ଼ର ମହାନାୟକ ସୁବଳ ସାହୁଙ୍କ ଦେହାନ୍ତ ସମୟର ଏହି ଚିତ୍ର ଦେଖିଲେ, ହୁଏତ ସେତେବେଳେ କେହି କଳ୍ପନା ବି କରିନଥିବେ ଯେ, ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡୁଥିବା ଏହି ମହିଳା ଦିନେ ଓଡ଼ିଶା ରାଜନୀତିରେ ଏକ ନୂଆ ଇତିହାସ ଲେଖିବେ । ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ । ସ୍ୱାମୀଙ୍କ ଦେହାନ୍ତ ପରେ ଓହ୍ଲାଇଥିଲେ ରାଜନୈତିକ ମୈଦାନକୁ । ଆଉ ସେତେବେଳେ ନିର୍ବାଚନୀ ରାଜନୀତିର ମାଧ୍ୟମ ଥିଲା ବିଜୁ ଜନତା ଦଳ । ରୀତା ସାହୁ ବିଜେଡିରେ ସାମିଲ ହେଲେନି ଯେ, ବିଜେଡି ପାଇଁ ଖୋଲିଗଲା ବିଜେପୁର ବିଜୟର ଦ୍ୱାର ।

୨୦୧୮ ଉପ-ନିର୍ବାଚନରେ ରୀତା ଆଣିଲେ ପ୍ରଥମ ବିଜୟ । ବ୍ୟବଧାନ ଥିଲା ୪୧ ହଜାର ଭୋଟ୍ । ସେତେବେଳେ ରାଜନୀତିରେ ନୂଆ ଥିବା ରୀତା ସାହୁ ୨୦୧୯ ଆସିଲା ବେଳକୁ ପାଲଟିଗଲେ ରାଜନୀତିର ପୋଖତ ଖେଳାଳି । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେପୁର ଛାଡ଼ି ଦେଖାଇଥିଲେ, ଜଣେ ଅଭିଜ୍ଞ ରାଜନେତାର ଗୁଣ । ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିଲେ, ନବୀନ ପଟ୍ଟନାୟକ ବାଛିଥିଲେ ରୀତା ସାହୁଙ୍କୁ । କାରଣ ରୀତାଙ୍କ ଉପରେ ଥିଲା ନବୀନ ପଟ୍ଟନାୟକଙ୍କ ଅଗାଢ଼ ବିଶ୍ୱାସ । ଆଉ ସେହି ବିଶ୍ୱାସକୁ ବିଜୟରେ ପରିଣତ କରିଦେଲେ ରୀତା ସାହୁ । ଏହି ବିଜୟ ଏମିତ କି ସେମିତି ବିଜୟ ନୁହେଁ । ବରଂ ଏମିତି ଏକ ବିଜୟ ଆଣିଲେ, ଯାହା ଓଡ଼ିଶା ରାଜନୀତିରେ କେବେ କୌଣସି ନେତାଙ୍କ ଭାଗ୍ୟରେ ଜୁଟିନଥିଲା ।