ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମହାଝଟକା: କେବଳ ଜଣେ ମନ୍ତ୍ରୀଙ୍କୁ ଛାଡି ମୈଦାନରେ ମାଟି କାମୁଡି ପଡିଲେ ମନୋହର ସରକାରଙ୍କ ସବୁ ମନ୍ତ୍ରୀ

898

କନକ ବ୍ୟୁରୋ: ହରିୟାଣାରେ ବିଜେପି ଆଜି ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଜେପି ଗତ ଥର ତୁଳନାରେ କମ ଆସନ ଜିତିଛି ଓ ମ୍ୟାଜିକ ନମ୍ବର ପାଇପାରି ନାହିଁ । ତେବେ ଏତିକି ବେଳେ ବିଜେପି ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଜଣେ ମନ୍ତ୍ରୀଙ୍କୁ ଛାଡି ଦେଲେ ଆଉ ସବୁ ମନ୍ତ୍ରୀ ଚିତପଟାଙ୍ଗ ମାରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଖଟ୍ଟର ଜିତିଥିବା ବେଳେ ଅନ୍ୟ ସବୁ ମନ୍ତ୍ରୀ ହାରିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ଖଟ୍ଟର ଓ ଖେଳମନ୍ତ୍ରୀ ଅନୀଲ ବିଜ୍‌ ବିଜୟୀ ହୋଇଛନ୍ତି ।

ଅନ୍ୟପକ୍ଷରେ ହାରିଯାଇଥିବା ମନ୍ତ୍ରୀମାନେ ହେଲେ ଅର୍ଥମନ୍ତ୍ରୀ କ୍ୟାପ୍ଟେନ ଅଭିମନ୍ୟୁ, ଶିକ୍ଷାମନ୍ତ୍ରୀ ରାମ ବିଳାଶ ଶର୍ମା, କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଓମ ପ୍ରକାଶ ଧନକଡ, ପରିବହନ ମନ୍ତ୍ରୀ କୃଷ୍ଣ ଲାଲ ପଂଓ୍ଵାର, ସଂସ୍କୃତି ମନ୍ତ୍ରୀ କବିତା ଜୈନ । ଖଟ୍ଟର ସରକାରରେ ଦୁଇଜଣ ମନ୍ତ୍ରୀ ରାଓ ନରବିର ସିଂ, ବିପୁଲ ଗୋଏଲଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନଥିଲା । ଅନ୍ୟପକ୍ଷରେ ବିଧାନସଭା ବାଚସ୍ପତି କଂଓ୍ଵର ପାଲ ମଧ୍ୟ କଂଗ୍ରେସର ଅକ୍ରମ ଖାଁଙ୍କଠାରୁ ପଛୁଆ ଅଛନ୍ତି ।

ବିଜୟୀ ହୋଇଥିବା ମନ୍ତ୍ରୀ ଅନୀଲ ବିଜ୍‌ ଅମ୍ବାଲା କାଣ୍ଟନମେଣ୍ଟରେ ବିଜୟୀ ହୋଇଛନ୍ତି । କିନ୍ତୁ ତାଙ୍କୁ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଚିତ୍ରା ସରବାରା କଡା ଟକ୍କର ଦେଇଥିଲେ । ବିଜେପି ପକ୍ଷରୁ ଛିଡା କରାଯାଇଥିବା ବିଭିନ୍ନ ସେଲିବ୍ରିଟିଙ୍କ ମଧ୍ୟରୁ ଅଧିକାଂଶ ହାରି ଯାଇଛନ୍ତି । ହାଇଯାଇଥିବା ତାରକାଙ୍କ ମଧ୍ୟରେ ଅଛନ୍ତି ରେସଲର ଯୋଗେଶ୍ୱର ଦତ୍ତ, ବବିତା ଫୋଗଟ ଓ ଟିକଟକ ଷ୍ଟାର ସୋନାଲି ଫୋଗଟ । ତେବେ ଭାରତୀୟ ହକି ଦଳର ପୂର୍ବତନ ତାରକା ଖେଳାଳି ସଂଦୀପ ସିଂ ବିଜୟୀ ହୋଇଛନ୍ତି । ଏପର୍ୟ୍ୟନ୍ତ ମିଳିଥିବା ଖବର ଅନୁସାରେ ବିଜେପି ୪୦ଟି ଆସନରେ ବିଜୟୀ ହୋଇଛି ଅଥବା ଆଗୁଆ ରହିଛି ।