ସୁପ୍ରିମକୋର୍ଟଙ୍କ ଐତିିହାସିକ ରାୟ, କହିଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ସହ ମରିବାର ଅଛି ଅଧିକାର ! କଡା ସର୍ତ୍ତ ସହିତ ଇଚ୍ଛା ମୃତ୍ୟୁକୁ ଦେଲେ ଅନୁମତି

59

କନକ ବ୍ୟୁରୋ : ଇଚ୍ଛାମୃତ୍ୟୁ ଉପରେ ଐତିହାସିକ ରାୟ ଦେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, ପ୍ରତ୍ୟେକ ନାଗରିକର ସମ୍ମାନର ସହ ମରିବାର ଅଧିକାର ଅଛି । ତେବେ କଡା ସର୍ତ୍ତ ସହ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି । ଯେତେବେଳେ ଜଣେ ରୋଗୀଙ୍କ ବଂଚିବା ପାଇଁ ଆଉ କୌଣସି ବିକଳ୍ପ ନଥିବ ଏବଂ ସେ କେବଳ ଲାଇଫ୍ ସପୋର୍ଟ ସିଷ୍ଟମରେ ହିଁ ବଂଚିପାରୁଥିବେ, ସେହି ଅବସ୍ଥାରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଇପାରିବ ।

ସଂଜୟଲୀଳା ବଂଶାଲୀଙ୍କ ଗୁଜାରିଶ ଚଳିଚ୍ଚିତ୍ରରେ ଏପରି କିଛି ଦୃଶ୍ୟ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠିଥାଏ । ସ୍ପାଇନାଲ କର୍ଡ ଇଂଜୁରୀ ଯୋଗୁଁ ଭେଜିଟେଟିଭ୍ ସ୍ଥିତି ବା ମୃତବତ୍ ଭାବେ ପଡିଥାନ୍ତି ଚଳଚିତ୍ରର ନାୟକ ହ୍ରିତିକ ରୋଶନ । ଚିକିତ୍ସା ଶାସ୍ତ୍ରରେ ଏହି ରୋଗରୁ ଆରୋଗ୍ୟ ହେବାର କିଛି ଉପାୟ ନଥାଏ । ଇଚ୍ଛାମୃତ୍ୟୁ ଚାହୁଁଥିଲେ ବି ଆଇନ ସାଜିଥାଏ ପ୍ରତିବନ୍ଧକ । ତେବେ ଏହିଭଳି ଜୀବନରୁ ମୁକ୍ତି ମିଳିବା ଲାଗି ଆଜି ମିଳିଛି ଆଇନର ଅନୁମତି । ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କଡ଼ା ସର୍ତ ରଖି ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି ।

ପରୋକ୍ଷ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଯଦି ଜଣେ ଦୀର୍ଘଦିନ ଧରି ଦୁରାରୋଗ୍ୟ ବ୍ୟାଧିରେ ପୀଡିତ । ରୋଗରୁ ମୁକ୍ତି ମିଳିବା ନେଇ ଚିକିତ୍ସା ଶାସ୍ତ୍ରରେ କିଛି ବ୍ୟବସ୍ଥା ନାହିଁ । କେବଳ ଲାଇଫ୍ ସପୋର୍ଟ ସିଷ୍ଟମରେ ଜଣେ ଜୀବିତ ଅଛନ୍ତି, ସେମାନଙ୍କୁ ମିଳିବ ଇଚ୍ଛାମୃତ୍ୟୁ ପାଇଁ ଅନୁମତି । ଅର୍ଥାତ୍ ଯେଉଁ ମେଡିକାଲ ବ୍ୟବସ୍ଥାରେ ରୋଗୀ ଜୀବିତ ଅଛି, ସେଗୁଡିକୁ ପ୍ରତ୍ୟାହାର କରି ନିଆଯିବ ।

କଡ଼ା ଗାଇଡ୍ଲାଇନ୍ ନିର୍ଦ୍ଧାରଣ କରି ଇଚ୍ଛାମୃତ୍ୟୁ ପାଇଁ ଲିଭିଂ ୱିଲ୍ ପାଇଁ ଅଧିକାର ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ସୁପ୍ରିମକୋର୍ଟର ଗାଇଡ଼୍ ଲାଇନ୍ ଅନୁଯାୟୀ –

– ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ କିମ୍ବା କୋମା ଷ୍ଟେଜକୁ ଗତି କରୁଥିବା ରୋଗୀ ହୋସ ଥିବା ବେଳେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିପାରିବେ ।

– କିଏ ରୋଗୀର ଇଚ୍ଛାମୃତ୍ୟୁକୁ କାର୍ଯ୍ୟକାରୀ କରିବ ଏବଂ ଏ ନେଇ ମେଡିକାଲ୍ ବୋର୍ଡର କି’ ଭୂମିକା ରହିବ ଏହା ମଧ୍ୟ ନିର୍ଦ୍ଧାରଣ ହେବ ।

– ତେବେ ରୋଗୀର ଏହି ଇଚ୍ଛା ବିରୋଧରେ ତାଙ୍କର ବନ୍ଧୁ ଓ ପରିବାରବର୍ଗ ମଧ୍ୟ ହାଇକୋର୍ଟରେ ଆବେଦନ କରିପାରିବେ ।

– ଇଚ୍ଛାମୃତ୍ୟୁ ଜରୁରି କି ନାହିଁ ଏ ନେଇ ମେଡିକାଲ ବୋର୍ଡକୁ ପ୍ରଶ୍ନ କରିପାରିବେ ହାଇକୋର୍ଟ ।

କମନ୍ କଜ୍ ନାମକ ଏକ ଏନଜିଓର ଆବେଦନ ଉପରେ ବିଚାର କରି ଏହି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ୫ ଜଣିଆ ଖଣ୍ଡପୀଠ ମିଳିତ ଭାବେ ପରୋକ୍ଷ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି । ଲାଇଫ୍ ସପୋର୍ଟ ସିଷ୍ଟମ ବଦଳରେ ଜଣେ ମୃତ୍ୟୁକୁ ବାଛିପାରିବ ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ।