ରଥ ନିର୍ମାଣରେ କଣ ରହିଛି ସେବକମାନଙ୍କ ଭୂମିକା ?

128

ଏ ସଂପର୍କରେ, ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପିରେ ସେବା ନଂ ୧୦୧ ରେ ଓଝା ମହାରଣା ସେବା ଅର୍ନ୍ତଭୁକ୍ତ ହେଇଛି । ସଂପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି । ତିନିରଥ ବାଡଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ଲାଗି ପଥୁରିଆ ସାହିର ଦାଶରଥୀ ମହାରଣା, ବଳଭଦ୍ରଙ୍କର କାଶୀନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡଗ୍ରାହୀ କ୍ଷୀରୋଦ କୁମାର ମହାରଣା ଓଝା ମହାରଣା ସେବା କାର୍ଯ୍ୟ କରନ୍ତି । ପ୍ରତ୍ୟେକ ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହା କଣ୍ଟା, ବଳା, ପନ୍ଦାରି ଯୋଗାଇବା ବ୍ୟତିତ ରଥଯାତ୍ରା ପୂର୍ବ ଦିନ ରଥଖଳାରୁ ସିଂହଦ୍ୱାରକୁ ରଥ ବିଜେ କରିବା ପରେ ଏହି ସେବାୟତ ଚାନ୍ଦୁଆ ବାନ୍ଧିଥାଆନ୍ତି ।

ଅକ୍ଷୟ ତୃତୟାଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବାୟତମାନେ ଶାଢୀ ବନ୍ଦାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡିଆ ଗ୍ରହଣ କରି ଦୋଳ ବେଦୀଠାରେ ଶାଳ ଅନୁକୂଳ କରିଥାଆନ୍ତି । ଏହାର ଦୁଇ ତିନି ଦିନ ପରେ ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାଆନ୍ତି । ଅକ୍ଷୟ ତୃତୀୟାଦିନ ରଥ ନିର୍ମାଣର ଅନୁକୁଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇ ଥାଆନ୍ତି । ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୁଳ କରାଯାଇଥାଏ । ଏହି ସବୁ କାର୍ଯ୍ୟ ଦୋଲବେଦୀ କୁଞ୍ଜ ଭିତରେ ହେଇଥାଏ । ପ୍ରତ୍ୟେକ ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାମରେ ସାହାର୍ଯ୍ୟ କରୁଥିବା ଶ୍ରମିକ ନିୟେ।।ଜିତ ହୋଇଥାଆନ୍ତି । ନିଜନିଜ ରଥର ବାଡଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ୱାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ ଟା, ପନ୍ଦାରି ୨ ଟା, ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଇଥାଏ ।

ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତା ଲୁହା ରଡ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତି ରଥର ଅଖ ଓ ଦଣ୍ଡାରେ କଣ୍ଟା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ ଗେଣ୍ଡା ୨ଟା, ଦେବଦଳନ ରଥ ନିମନ୍ତେ ୭ ଗଣ୍ଡା ୨ ଟା ବିଡିଆ କଣ୍ଟାଶାଳରେ ପ୍ରସ୍ତୁତ କରିଥାଆନ୍ତି । ଏହା ସହ ପାରାଭାଡି ତିଆରି ପାଇଁ ପୋଟଳ ଉପରେ ବାଗିଆ ବାଡେଇ ଥଆନ୍ତି । ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ଚାର ପରିଚ୍ଛା ବାଡେଇ ଥାଆନ୍ତି । ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ଚାର ପରିଚ୍ଛାକଣ୍ଟା, ଦୁଆର ବେଢା କଣ୍ଟା, ବେଢା କଣ୍ଟା, ଜଘାଂ ଓ ନାରାଜ କଣ୍ଟା, ଗୋଡିଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କ ଦ୍ୱାରା ନିର୍ମିତ ହୋଇଥାଏ । ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ । ରଥଯାତ୍ରା ସମୟରେ ଯଦି ରଥ ଚକ କିମ୍ବା ଅନ୍ୟାନ୍ୟ ମରାମତିର ଆବଶ୍ୟକ ପଡେ । ଓଝା ମହାରଣା ମାନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ନିର୍ମିତ କରି ଯୋଗାଇଥାଆନ୍ତି । ଏତତ୍ ବ୍ୟତିତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର ନିର୍ମିତ କରି ପତନି ଶାଢୀରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇ ଥାଆନ୍ତି । ଏହି କାର୍ଯ୍ୟହେଲା ବେଳେ ମହାରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାରେ ରହନ୍ତି । ସମ୍ପ୍ରତ୍ତି ଓଝା ମହାରଣା ମାନଙ୍କ ଦ୍ୱାରା ପ୍ରସ୍ତୁତ ‘ଶାଳ’ ଦୋଳବେଦୀ କୁଞ୍ଜଠାରେ ହେଉଥିବା ଜଣାଯାଏ ।

ବଢେଇ ମହାରଣା

ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପିର ୧୦୫ ନମ୍ବର ସେବାରେ ବଢେଇ ମହାରଣା ମାନଙ୍କ ସଂମ୍ପର୍କରେ ଉଲ୍ଲେଖ ରହିଛି । ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂପୃକ୍ତ ରହି କାର୍ଯ୍ୟ କରିଥାଆନ୍ତି । ରଥ ନିର୍ମାଣ ଅନୁକୂଳଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥ ଟଣା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ରହିଥାଆନ୍ତି ।

ରଥ ଭୋଇ

ସେବା ନଂ ୯୭ ରେ ରଥଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି । ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଓ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରନ୍ତି । ରଥ ଖଳାର ଛାମୁଣ୍ଡିଆ ତିଆରି କରିବା ଲାଗି ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥ ଟଣାରେ ସକ୍ରିୟ ଅଂଶ ଗ୍ରହଣ କରିଥାଆନ୍ତି ।

ଦର୍ଜୀ ସେବା

ସ୍ୱତ୍ତଲିପିରେ ୯୫ ନଂ ସେବାରେ ଥିବା ଦର୍ଜୀ ସେବାୟତଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣୀ ରହିଛି । ରଥର ମଣ୍ଡଣି, ଚାନ୍ଦୁଆ ଇତ୍ୟାଦି ସିଲାଇ କାର୍ଯ୍ୟ ଏମାନେ କରିଥାଆନ୍ତି ।

ତାମରା ବିଶୋଇ

ଉକ୍ତ ସେବକ ରଥଯାତ୍ରା ଓ ବାହୁଡା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି ।

କରତିଆ

ରଥ ନିର୍ମାଣ ଲାଗି ତୁମ୍ବ କାଟିବା ଓ ରଥର କାଠପଟା କାମ କରିଥାଆନ୍ତି । ଏ ସେବକ ନିଜେ କରତି କାମ କରନ୍ତି । ଏହାସହ ଅନ୍ୟ କରତିଆଙ୍କୁ କାମ କରିବା ଲାଗି ଯୋଗାଇ ଦିଅନ୍ତି । ଏହାକୁ ସେବା ୯୧ ନଂ ରେ ସମସ୍ତେ ଜାଣନ୍ତି ।

ରୂପକାର

ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାଆନ୍ତି । ଏ ପରିକି ନବକଳେବଳ ବର୍ଷ ମାନଙ୍କରେ ସାରଥି, ସଖୀ, ଓଲଟ ଶୁଆ, କଳସ ଓ ପାଶ୍ୱର୍ଦେବତା ନିର୍ମାଣ ଏହି ସେବକଙ୍କ ଦ୍ୱାରା ତିଆରି ହୋଇଥାଏ । ଏହାକୁ ସେବା ନଂ ୮୮ କହନ୍ତି ।