ଯାଜପୁରର ଦଶରଥପୁର ଅଂଚଳରେ ଅଭାବନୀୟ ଘଟଣା : ବିଜେଡି ପାର୍ଟି ଅଫିସକୁ ଡାକି ବଳାତ୍କାର କଲେ ବିଜେଡି ନେତା

60

କନକ ବ୍ୟୁରୋ :  ଅସହାୟ ବୋଲି କଣ ତାଙ୍କର କୌଣସି ସ୍ୱାଭିମାନ ନାହିଁ ? ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ଘଟିଥିବା ଘଟଣା ଏହି ପ୍ରଶ୍ନ ସୃଷ୍ଟି କରିଛି । ସରକାରୀ ଯୋଜନାରେ ଆସିଥିବା ବିଜୁ ପକ୍କାଘର ଓ ଭତ୍ତା ଟଙ୍କାର ଲୋଭ ଦେଖାଇ ଦଳୀୟ କାର୍ଯ୍ୟାଳୟକୁ ମହିଳାଙ୍କୁ ଡାକି ଦୁଷ୍କର୍ମ କରିଛନ୍ତି ବିଜେଡିର ଜଣେ ସ୍ଥାନୀୟ ନେତା । ଗତ ୧୧ ତାରିଖ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ଆଜି ମଙ୍ଗଳପୁର ଥାନାରେ ଅଭିଯୋଗ ହେବାପରେ ସାମ୍ନାକୁ ଆସିଛି ।

ଏହି ଅସହାୟ ଯୁବତୀଙ୍କ ସହ ଯାହା ଘଟିଛି, ତାହା ଆଉ କାହା ସହ ନଘଟୁ । ଗରିବ ପରିବାରର ଏହି ମହିଳାଙ୍କୁ ଫୋନ ଆସିଲା ବିଜେଡି ଅଫିସକୁ ଆସ, ତମର ବିଜୁ ପକ୍କାଘର ଆସି ଯାଇଛି ଏବଂ ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ୨ ଲକ୍ଷ ଟଙ୍କାର ଭତ୍ତା ବି ଆସିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ଟାରେ ଦଳୀୟ ଅଫିସକୁ ଡାକିଥିଲେ ଚନ୍ଦ୍ରକାନ୍ତ ମହାପାତ୍ର ନାମକ ଜଣେ ସ୍ଥାନୀୟ ବିଜେଡି ନେତା । ଏପରି କି ସେହି ସମୟରେ ନଆସିଲେ ତାଙ୍କର ନାଁରେ ଥିବା ଏହି ଅର୍ଥ ଫେରିଯିବ ବୋଲି ମଧ୍ୟ କହିଥିଲେ । ସେଠାରେ ମହିଳା ଜଣକ ପହଂଚିବା ପରେ ଅଫିସର କବାଟ ବନ୍ଦ କରିଦେଲେ ଚନ୍ଦ୍ରକାନ୍ତ ।

ପୋଲିସ ଚନ୍ଦ୍ରକାନ୍ତ ମହାପାତ୍ରଙ୍କ ବିରୋଧରେ ଧାରା ୩୪୨, ୩୭୬ ଓ ୨୯୪ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଇଛି ପୋଲିସ ।

ପୀଡିତା ଜଣକ କହିଛନ୍ତି, ଚନ୍ଦ୍ରକାନ୍ତଙ୍କୁ ବାରମ୍ବାର ନେହୁରା ହୋଇଥିଲେ ଯେ ସେ ତାଙ୍କ ଝିଅ ବୟସର । କିନ୍ତୁ ଚନ୍ଦ୍ରକାନ୍ତଙ୍କ କାମନାରୂପି ରାକ୍ଷସ ଆଉ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା । ଶେଷରେ ଅସହାୟ ମହିଳା ଜଣକ ଏହି ରାକ୍ଷସର ଶିକାର ହୋଇଗଲେ । ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଏଭଳି ଅମାନବୀୟ କାଣ୍ଡ କରିଥିବା ଚନ୍ଦ୍ରକାନ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି ।