ଓଡ଼ିଶାରେ ୱାନାକ୍ରାଏ ରେନସମବେୟର ଭାଇରସ ! ବ୍ରହ୍ମପୁର ସିଟି ହସ୍ପିଟାଲର ସିଷ୍ଟମ ହ୍ୟାକ୍, ୩ଶହ ଡଲାର ଜମା କରିବା ଦାବି

29

କନକ ବ୍ୟୁରୋ : ଓଡ଼ିଶାରେ ରେନସମବେୟର ଭାଇରସ । ବ୍ରହ୍ମପୁର ସିଟି ହସ୍ପିଟାଲର ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଥିବା ସୂଚନା ମିଳିଛି । ସିଷ୍ଟମକୁ ହ୍ୟାକ କରି ହ୍ୟାକର ୩ଶହ ଡଲାର ଦାବି କରିଛି । ଗତ ୧୪ତାରିଖ ସଂଧ୍ୟାରେ ସିଟି ହସ୍ପିଟାଲର କମ୍ପ୍ୟୁଟରରେ କିଛି ସମସ୍ୟା ଦେଖାଦେଇଥିଲା । ପରେ ଗତକାଲି ଏହି ସିଷ୍ଟମରେ ୱାନାକ୍ରାଏ ଭାଇରସ ଆଟାକ ହୋଇଥିବା ଜଣାପଡିଛି ।

କମ୍ପ୍ୟୁଟରର ସ୍କ୍ରିନରେ ୩ଶହ ଡଲାର ଦାବି କରିଯାଇଥିବା ନେଇ ମ୍ୟାସେଜ ଆସିଛି । ୨୦୧୦ରୁ ୨୦୧୭ପର୍ଯ୍ୟନ୍ତ
ଡାକ୍ତରଖାନାର ସମସ୍ୟ ତଥ୍ୟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ଡାକ୍ତରଖାନାର ମେଲ୍ ଆଇଡିରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ହ୍ୟାକ୍ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶାରେ ରେନସମବେୟର ଭାଇରସରୁ ରକ୍ଷା ପାଇବା ପାଇଁ ଗତକାଲି କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଜାରି କରାଯାଇଥିଲା ।

ବ୍ରହ୍ମପୁର ସିଟି ହସପିଟାଲ ସିଷ୍ଟମରେ ୱାନାକ୍ରାଏ ରେନସମବେୟର ଭାଇରସ ଆଟାକ୍ ନେଇ ଆଜି ଏକ ଟିମ୍ ଅନୁଧ୍ୟାନ ପାଇଁ ଯିବ  । ବିଶେଷଜ୍ଞଙ୍କ ଟିମ୍ ଯାଇ ଅନୁଧ୍ୟାନ କଲା ପରେ ଏହା ୱାନାକ୍ରାଏ ରେନସମବେୟର ଭାଇରସ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । ଏନେଇ ଲୋକେ ବିଚଳିତ ହେବାର ନାହିଁ  ।

ତେବେ ୱାନାକ୍ରାଏ ରେନସମବେୟର ଭାଇରସନେଇ ଆଜି ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା  । ଗତକାଲି ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଏନେଇ ଆଡଭାଇଜରି ଜାରି କରିଥିଲେ  । ୱାନାକ୍ରାଏ ରେନସମବେୟର ଭାଇରସରୁ କମ୍ପ୍ୟୁଟରକୁ କିପରି ରକ୍ଷା କରାଯାଇପାରିବ ସେ ନେଇ ସମସ୍ତ ବିଭାଗକୁ ପରାମର୍ଶ ଜାରି କରାଯାଇଥିଲା  ।