ରାଜ୍ୟସଭା ଉପର୍ନିବାଚନ ପାଇଁ କିନ୍ନରଙ୍କ ଆବେଦନ ! ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର କିଣିଲେ ମେଘନା

20

କନକ ବ୍ୟୁରୋ: ରାଜ୍ୟସଭା ଯିବେ କି ମେଘନା । ରାଜ୍ୟ ରାଜନୀତିରେ ଏବେ ଆରମ୍ଭ ହୋଇଛି ଏମିିତି ଏକ ଚର୍ଚ୍ଚା । କାରଣ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରଥମ ନାମାଙ୍କନ ଫର୍ମ କିଣିଛନ୍ତି କିନ୍ନର ମେଘନା । ନିଜ ସମର୍ଥକଙ୍କ ସହ ଏକ ବିରାଟ ରାଲିରେ ମାଷ୍ଟର କ୍ୟାଂଟିନରୁ ବିଧାନସଭା ଯାଏ ଆସିଥିଲେ ମେଘନା ।

ରାଜ୍ୟସଭା ସାଂସଦ ପଦରୁ ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ କାହାକୁ ରାଜ୍ୟସଭାକୁ ପଠାଯିବ ସେ ନେଇ ଗତ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଛି । ଆଉ ଏହି ସମୟରେ ନିଖିଳ ଓଡିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘର ସମ୍ପାଦକ ମେଘନା ପ୍ରଥମେ ନାମାଙ୍କନ ଫର୍ମ କିଣିଛନ୍ତି । ମହିଳା, ପୁରୁଷ ସବୁ ବର୍ଗର ପ୍ରାର୍ଥୀଙ୍କ ସହ ସିନେ ତାରକାଙ୍କୁ ବି ରାଜ୍ୟସଭାକୁ ପଠାଉଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ତାଙ୍କୁ ବି ପଠାଇବେ ବୋଲି ଆଶା କରିଛନ୍ତି ମେଘନା ।

ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ସମର୍ଥନ ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି । ତେବେ ବିଜେଡି ଯାହାକୁ ସମର୍ଥନ କରିବ ସେ ହିଁ ରାଜ୍ୟସଭାକୁ ଯାଇପାରିବ । ଏପରି ସ୍ଥଳେ ଯଦି ବିଜେଡି ମେଘନାଙ୍କୁ ସମର୍ଥନ ନକରେ ତେବେ ନାମାଙ୍କନ ସଂପୂର୍ଣ ମୂଲ୍ୟହୀନ ବୋଲି ଧରାଯିବ ।