ରେଳବାଇର ସବୁଠାରୁ ବଡ ନିଯୁକ୍ତି ପ୍ରକିୟା ! ଛାତ୍ରଛାତ୍ରୀ ଫେରିପାଇବେ ପରୀକ୍ଷା ଫିସ୍, ଜାଣନ୍ତୁ କେଉଁ କେଉଁ କ୍ଷେତ୍ରରେ ବଦଳିଲା ନିୟମ

75

ଭାରତୀୟ ରେଳବିଭାଗ ପକ୍ଷରୁ ଗ୍ରୁପ ଡି, ଲୋକୋ ପାଇଲଟ ଓ ଟେକନିସିଆନ ଭଳି ୯୧,୦୦୦ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୟସ ସୀମାକୁ ନେଇ ବିହାରରେ ଛାତ୍ରଛାତ୍ରୀଙ୍କ ମାନେ ପ୍ରଦର୍ଶନ କରିଥିଲେ । ଏହାପରେ ବୟସ ସୀମାକୁ ନେଇ ହୋଇଥିବା ଘୋଷଣାରେ ପରିବର୍ତ୍ତନ କରାଯାଇଛି । ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆବଶ୍ୟକୀୟ ଯୋଗ୍ୟତା, ଆବେଦନ ଫିସ ଓ ବୟସ ସୀମାକୁ ନେଇ ହୋଇଥିବା ଘୋଷଣାରେ ଅନେକ ପରିବର୍ତ୍ତନ କରିଛି ରେଳ ବିଭାଗ । ତେବେ ଏସବୁ ଭିତରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ବଡ ଘୋଷଣା କରିଛନ୍ତି । ଏହି ପଦ ପାଇଁ ଅଧିକ ନିଆଯାଉଥିବା ପରୀକ୍ଷା ଫିସ୍ ଫେରାଇବାକୁ ଘୋଷଣା କରିଛନ୍ତି ପୀୟୂଷ ଗୋଏଲ ।

ଚଳିତବର୍ଷ ଏହି ପଦ ପାଇଁ ପରୀକ୍ଷା ଫିସରେ ବୃଦ୍ଧି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ୫୦୦ ଟଙ୍କା ପରୀକ୍ଷା ଫିସ ରଖାଯାଇଥିବା ବେଳେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ଟଙ୍କା ପରୀକ୍ଷା ଫିସ୍ ସ୍ଥିର କରାଯାଇଛି । ତେବେ ରେଳମନ୍ତ୍ରୀ କହିଛନ୍ତି, ପରୀକ୍ଷା ସରିବା ପରେ ଫିସ୍ ଫେରସ୍ତ କରାଯିବ । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ୪୦୦ ଟଙ୍କା ଫେରସ୍ତ କରାଯିବ ଏବସ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କୁ ପୂରା ଫିସ୍ ଫେରସ୍ତ କରାଯିବ ବୋଲି ରେଳବିଭାଗ କହିଛି । ତେବେ ଏଥିପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭାଗ ନେବା ଆବଶ୍ୟକ । ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭାଗ ନ ନେବେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ନାହିଁ । ପରୀକ୍ଷା ଫିସ୍ କମ ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଆବେଦନ କରୁଥିଲେ ସତ କିନ୍ତୁ ପରୀକ୍ଷାରେ ଭାଗ ନେଉନଥିଲେ । ତେଣୁ ସରକାରଙ୍କୁ ଏହାର କ୍ଷତି ସହିବାକୁ ପଡୁଥିଲା । ତେଣୁ ପରୀକ୍ଷା ଫିସ୍ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷାକୁ ନେଇ ଗମ୍ଭୀର ଥିବେ ସେହିମାନେ ହିଁ ଆବେଦନ କରିବେ ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୟସ ସୀମାକୁ ନେଇ ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଡ ଲୋକୋ ପାଇଲଟ ପଦ ପାଇଁ ଆବେଦନ କରିବାକୁ ସର୍ବାଧିକ ବୟସ ୨୮ ଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ ୩୦ ବର୍ଷକୁ ବୃଦ୍ଧି କରାଯାଇଛି । ସେହିଭଳି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୟସ ସୀମାକୁ ୩୧ରୁ ୩୩ ଯାଏଁ ବୃଦ୍ଧି କରାଯାଇଛି । ସେହିଭଳି ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ବୟସ ସୀମାକୁ ୩୩ରୁ ୩୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି ।

ସେହିଭଳି ଗ୍ରୁପ ଡି ପଦ ପାଇଁ ଆବେଦନ କରିଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ବୟସ ସୀମାକୁ ୨୮ରୁ ୩୦ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ଓବିସି ବର୍ଗର ପିଲାଙ୍କ ବୟସ ସୀମାକୁ ୩୪ରୁ ୩୬ ବର୍ଷକୁ ବୃଦ୍ଧି କରାଯାଇଛି । ଏହି ପଦ ପାଇଁ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୩୬ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ୱତିକ୍ରମେ ଗ୍ରୁପ ଡି ପଦ ପାଇଁ ଆବଶ୍ୟକୀୟ ଆଇଟିଆଇ ଯୋଗ୍ୟତାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଏଣିକି ଦଶମ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଗ୍ରୁପ-ଡି ପଦ ପାଇଁ ଆବେଦନ କରିପାରିବେ । ଏହି ନିୟମରେ ପରିବର୍ତ୍ତନ ଆସିବା ଦ୍ୱାରା ଯୋଗ୍ୟତା ଓ ପରୀକ୍ଷା ଫିସକୁ ନେଇ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀ ଆଶ୍ୱସ୍ତି ହୋଇଛନ୍ତି । ଦୀର୍ଘ ଦିନ ପରେ ଗ୍ରୁପ ଡି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଅନେକ ଆଶାୟୀ ଆବେଦନ କରିବେ ବୋଲି ରେଳ ବିଭାଗ ଅନୁମାନ କରୁଛି । ଏହି ପଦ ପାଇଁ ହେବାକୁ ଥିବା ପରୀକ୍ଷା ୧୫ଟି ଭାଷାରେ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି ଲେବୁଲ-୨ ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୩
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୨) ଅନଲାଇନ ଆବେଦନ ପତ୍ର ଗ୍ରହଣ ଆରମ୍ଭ: ଫେବୃଆରୀ ୩
ଆବେଦନ ପତ୍ର ଗ୍ରହଣ ଶେଷ: ମାର୍ଚ୍ଚ ୫
କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷଣ: ଏପ୍ରିଲ, ମେ’
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ ୧) ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୧୦
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୧) ଅନଲାଇନ ଆବେଦନ ପତ୍ର ଗ୍ରହଣ ଆରମ୍ଭ: ଫେବୃଆରୀ ୧୦
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୧) ଅନଲାଇନ ଆବେଦନ ପତ୍ର ଗ୍ରହଣ ଶେଷ: ମାର୍ଚ୍ଚ ୧୨
କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷଣ: ଏପ୍ରିଲ – ମେ’