ନା ନାସା , ନା ଇସ୍ରୋ କେହି ଖୋଜିପାରିଲେନି ଲ୍ୟାଣ୍ଡର ବିକ୍ରମର ଭଗ୍ନାବିଶେଷର ଠିକଣା । ବିକ୍ରମର ସନ୍ଧାନରେ ସଫଳ ହେଲେ ଭାରତୀୟ ଯୁବ ଇଞ୍ଜିନିୟର୍ 

2,008

ଭାରତର ବହୁ ଚର୍ଚ୍ଚିତ ମିଶନ୍ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ୱଂସାବଶେଷର ଅବସ୍ଥିତି ନେଇ ଠୋସ୍ ପ୍ରମାଣ ମିଳିଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଭାରତୀୟ ଯୁବ ଇଞ୍ଜିନିୟର ଶନମୁଗା ସୁବ୍ରମଣ୍ୟମ୍ ଓରଫ ଶନ୍ ଙ୍କୁ ନାସା ଶ୍ରେୟ ଦେଇଛି। ପୁରୁଣା ଏବଂ ନୂଆ ଅର୍ଥାତ ବିକ୍ରମ କ୍ରାଶ୍ ଲ୍ୟାଣ୍ଡ କରିବା ପୂର୍ବର ଏବଂ ପର ସମୟର ଫଟୋକୁ ତୁଳନାତ୍ମକ ଭାବେ ବାରମ୍ବାର ଦେଖି ଶନ୍ ବିକ୍ରମର ଧ୍ୱଂସାବଶେଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠାବ କରିପାରିଥିଲେ। ମଙ୍ଗଳବାର ଏନେଇ ଏକ ପୋଷ୍ଟ କରି ନାସା ପକ୍ଷରୁ କୁହାଯାଇଥିଲା ଏହା ଭାରତର ବିକ୍ରମ ଲ୍ୟାଣ୍ଡରର ଧ୍ୱଂସାବଶେଷ ମିଳିଛି । ନାସା ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଲୁନାର ରେକନ୍ନାଇଜାନ୍ସ ଅର୍ବିଟର ପ୍ରକଳ୍ପର କ୍ୟାମେରା ଟିମ୍ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ରିଲିଜ୍ କରିଥିଲେ। ଏହା ମହାକାଶରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଛଡ଼ାଯାଇଥିଲା।

ତେବେ ଏହି ଫଟୋ ସବୁ ଏବଂ ପୁରୁଣା ଫଟୋସବୁକୁ ଅନୁଶୀଳନ କରି ଶନ୍ ଏଲଆରଓ ପ୍ରକଳ୍ପ ଟିମକୁ ଧଳା ଚିହ୍ନିତ ସ୍ଥାନ ବାବଦରେ ସୂଚନା ଦେଇଥିଲେ। ଏହା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ଯିବା ପୂର୍ବରୁ ନଥିଲା। ଏହାପରେ ଟିମ୍ ନିଜେ ଗବେଷଣା ଆରମ୍ଭ କରି ଏହା ହିଁ ବିକ୍ରମର ଅବତରଣସ୍ଥଳ ବୋଲି ନିଶ୍ଚିତ କରିଥିଲା। ଶନ୍ ବେଶ କିଛି ଦିନ ଧରି ଚନ୍ଦ୍ରପୃଷ୍ଠର ଫଟୋସବୁକୁ ସ୍କାନ କରିଆସୁଥିଲେ। ସେ ଯଦିଓ କିଛି ସକାରାତ୍ମକ ତଥ୍ୟ ପାଇଥିବା ଟ୍ୱିଟରରେ ଘୋଷଣା ପୂର୍ବରୁ କରିଥିଲେ, ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ମିଛ ପ୍ରମାଣିତ କରିଆସିଥିଲେ। ତେବେ ସେ ରେଡ୍ଡିଟ୍ ଫୋରମରୁ ଲ୍ୟାଣ୍ଡିଂ ଲୋକେସନ୍ ଏବଂ ବିକ୍ରମର ମାର୍ଗ ବାବଦରେ ତଥ୍ୟ ପାଇଥିଲେ। କିପରି ବିକ୍ରମର ଠିକଣା ପାଇଲେ ସେହି ବିଷୟରେ କହିବାକୁ ଯାଇ ଶନ୍ କୁହନ୍ତି, “ମୁଁ ଅବତରଣସ୍ଥଳରୁ ପ୍ରଥମେ ୧ କିଲୋମିଟର ପରିଧି ମଧ୍ୟରେ ଏବଂ ପରେ ୨ ବର୍ଗ କିଲୋମିଟର ପରିଧି ମଧ୍ୟରେ ଖୋଜିବାକୁ ଆରମ୍ଭ କଲି। ମୁଁ ଉତ୍ତର ଦିଗରେ ଖୋଜିବାକୁ ଆରମ୍ଭ କଲି କାରଣ ବିକ୍ରମ ଉତ୍ତର ଦିଗରୁ ହିଁ ଅବତରଣ ସ୍ଥଳକୁ ଆଗେଇଥିଲା। ଏହାପରେ ମୁଁ ଗୁଡ଼ାଏ ଚିହ୍ନ ପାଇଥିଲେ ହେଁ ସେସବୁ ଭୁଲ ଥିଲା। ପରେ କିଛି ବିନ୍ଦୁ ଦେଖିବାକୁ ପାଇଥିଲି ଏବଂ ଗତ ୯ ବର୍ଷର ଚିତ୍ର ସହ ସେସବୁକୁ ମେଳାଇଥିଲି। ଯେତେବେଳେ ନିଶ୍ଚିତ ହେଲି, ତୁରନ୍ତ ନାସାକୁ ଜଣାଇଲି।” ଶନ୍ କହିଛନ୍ତି, ଅନଲାଇନରେ ଅନେକ ମହାକାଶ ଅନୁସନ୍ଧିତ୍ସୁ ଅଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଦରକାର। ନାସା ପକ୍ଷରୁ ଶନ୍ ଙ୍କୁ ଏକ ମେଲ୍ ଯୋଗେ ଶ୍ରେୟ ଓ ଅଭିନନ୍ଦନ ଦିଆଯାଇଥିବାବେଳେ ଶେଷରେ ଲେଖାଯାଇଛି, ପ୍ରସ୍ତୁତ ରୁହ ଗଣମାଧ୍ୟମ ତୁମ ଆବିଷ୍କାର ଉପରେ ପ୍ରଶ୍ନ ପଚାରିବା ଆରମ୍ଭ କରିବେ।