ସରକାରୀ ସ୍ତରରେ ଉଠିଲା ପ୍ରଶ୍ନ ! ଇଛାଧୀନ କୋଟାରେ ତଦନ୍ତ ସନ୍ଦେହରେ

37

କନକ ବ୍ୟୁରୋ : ୩ ବର୍ଷ ପରେ ବି ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍ ହାତେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ବିଶେଷ ଆଗେଇ ପାରିନାହିଁ । ବିଡିଏରୁ ଆବଂଟିତ ପ୍ଲଟ୍ ଓ ଘର ନେଇ କେବଳ ଜଣେ ଆଇପିଏସଙ୍କ ବିରୋଧରେ ଭିଜିଲାନ୍ସ ରିପୋର୍ଟ ଦେବା ବ୍ୟତୀତ ଅଧିକ କିଛି ଦେଇପାରିନଥିବାରୁ ସାଧାରଣପ୍ରଶାସନ ବିଭାଗ ବି ପ୍ରଶ୍ନ ଉଠାଇଛି ।

Captureଏ ହେଉଛି ସାଧାରଣ ପ୍ରଶାସନ ବିଭାଗର ଡାଇରେକ୍ଟର ଅଫ୍ ଇଷ୍ଟେଟ୍ସଙ୍କ ଚିଠି । ମଙ୍ଗଳବାର ଭିଜିଲାନସ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ଉଠାଯାଇଛି ଅନେକ ପ୍ରଶ୍ନ । ଖାସ କରି କେବଳ ଜଣେ ଆଇପିଏସ ଅଧିକାରୀ ଇଛାଧୀନ କୋଟାରେ ପାଇଥିବା ଦୁଇଟି ପ୍ଲଟ ବାବଦରେ କାହିଁକି ରିପୋର୍ଟରେ ଉଲ୍ଲେଖ କରାଗଲା, ତାକୁ ନେଇ ସରକାର ଉଠାଇଛନ୍ତି ପ୍ରଶ୍ନ ।

ଇଛାଧୀନ କୋଟା କେଳେଙ୍କାରୀ ଅଧ୍ୟାୟକୁ ୩ ବର୍ଷ ପୁରୁଥିଲେ ବି କେବଳ ଜଣଙ୍କ ବାବଦରେ ତଦନ୍ତ ସାରି ଭିଜିଲାନସ ରିପୋର୍ଟ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି କି ଏନେଇ ପ୍ରଶ୍ନ ଉଠାଇଛି ସାଧାରଣ ପ୍ରଶାସନ ବିଭାଗ ।

ସାଧାରଣ ପ୍ରଶାସନ ବିଭାଗର ଡାଇରେକ୍ଟର ଅଫ୍ ଇଷ୍ଟେଟ୍ସ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପ୍ରାଚୀ ଏନକ୍ଲେଭରେ ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ୭୩(ସି) ପ୍ଲଟରେ ପ୍ଲଟ୍ ଦିଆଯାଇଥିବା ରିପୋର୍ଟରେ ଦର୍ଶାଇଛି । ତଦନ୍ତକାରୀ ଅଫିସରଙ୍କ ରିପୋର୍ଟ ପୂର୍ଣ୍ଣାଙ୍ଗ ନୁହେଁ ବୋଲି ଦର୍ଶାଇଛି ସାଧାରଣ ପ୍ରଶାସନ ବିଭାଗ । ବିଡିଏରୁ ଏକାଧିକ ପ୍ଳଟ୍ ବା ଫ୍ଲାଟ୍ ହାତେଇଥିବା ଅନ୍ୟ ହିତାଧିକାରୀଙ୍କ ସଂପର୍କରେ ବି ରିପୋର୍ଟ ମାଗିଛନ୍ତି ସରକାର । ଭିଜିଲାନ୍ସ ଡିଜି ଓ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି କରିଛି ସାଧାରଣ ପ୍ରଶାସନ ବିଭାଗ ।

ଡିସେମ୍ବର ୧୮, ୨୦୧୪ :
ବିଡିଏ, ସିଡିଏ, ହାଉସିଂବୋର୍ଡରେ ଇଚ୍ଛାଧୀନ ଜମି ଆବଂଟନକୁ ଖାରଜ କଲା କ୍ୟାବିନେଟ୍ । ମିଥ୍ୟା ସତ୍ୟପାଠ ଦେଇଥିବା ଲୋକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲା । ହେଲେ ଫଳ ଘର ଶୁନ । ଏକାଧିକ ପ୍ଲଟ୍ ନେଇଥିବା ୩୫୬ଜଣ ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ଗତବର୍ଷ ବିଧାନସଭାରେ ତଥ୍ୟ ରଖିଥିଲେ ସରକାର । ଯେଉଁମାନଙ୍କ ମଧ୍ୟରେ ଥିଲେ କିଛି ମନ୍ତ୍ରୀ ଆଉ ଅଫିସର । ହେଲେ ସରକାରୀ ସ୍ତରରେ ଭିଜିଲାନସ ତଦନ୍ତକୁ ନେଇ ପ୍ରଶ୍ନ ଉଠିବା ପ୍ରମାଣିତ କରୁଛି, ଇଛାଧୀନ କୋଟା କେଳେଙ୍କାରୀ ତଦନ୍ତ ବାଟବାଣା ହୋଇଛି ।