ଅଜଗର ପାଇଲା ନୂଆ ଜୀବନ ! ସାପଟିର ଏହି ଚିକିତ୍ସା ବିଶ୍ୱରେ ପ୍ରଥମ ବୋଲି ଓୟୁଏଟି ବିଶେଷଜ୍ଞଙ୍କ ଦାବୀ

27

କନକ ବ୍ୟୁରୋ : ଅଜଗର ପାଇଲା ନୂଆ ଜୀବନ । ୧୦ ମାସର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି ଏହି ବିରଳ ସାପ । ଯାହାକୁ ନେଇ ଏବେ ସାଧାରଣରେ ଖୁବ୍ ଚର୍ଚ୍ଚା । ଏହାସହ ସଂପୃକ୍ତ ଡାକ୍ତର ଦଳକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି । ଖୁବ୍ ଯତ୍ନର ସହ ସାପଟିକୁ ଆରୋଗ୍ୟ କରିଥିବାରୁ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ତାରିଫ କରାଯାଇଛି ।

ଗତ ବର୍ଷ ନଭେମ୍ବର ମାସରେ ସାକ୍ଷୀଗୋପାଳ ବୀର ରାମଚନ୍ଦ୍ରପୁର ଠାରେ ମାଛ ଜାଲରେ ପଡିଥିଲା ଏହି ୯ ଫୁଟର ବର୍ମିଜ୍ ପାଇଥନ୍ । ଜାଲରୁ ବାହାରିବାକୁ ଉଦ୍ୟମ କରିବା ବେଳେ ତା ଦେହରେ ଏକ ବଡ କ୍ଷତ ସୃଷ୍ଟି ହୋଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ତାକୁ ଉଦ୍ଧାର କରି ଓୟୁଏଟିକୁ ଆଣିଥିଲେ ।

ଡାକ୍ତରୀ ଦଳର ଉଦ୍ୟମ ପରେ ସାପଟି ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଆଜି ନନ୍ଦନକାନନକୁ ନିଆଯାଇଛି । ଓୟୁଏଟି ବିଶେଷଜ୍ଞଙ୍କ ଅନୁସାରେ ଅଜଗରର ଏହି ଚିକିତ୍ସା ବିଶ୍ୱରେ ପ୍ରଥମ ଥର ପାଇଁ କରାଯାଇଛି । କାରଣ ୧୧ଇଂଚର ଏହି କ୍ଷତକୁ ୧୦ମାସରେ ଶୁଖାଇବା ଏକ ବିରଳ ରେକର୍ଡ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଭେଟନାରୀ କଲେଜର ଚିକିତ୍ସକ ଏହି ଦାବୀ କରିଛନ୍ତି ।