ସଜେଇ ହେଉଛି ଶ୍ରୀକ୍ଷେତ୍ର : ବିଶ୍ୱ ପର୍ଯ୍ୟଟନ ସହରର ସୌନ୍ଦର୍ଯ୍ୟକରଣ ପାଇଁ କରାଯାଉଛି ୱାଲ ପେଟିଂ

39

କନକ ବ୍ୟୁରୋ : ପୁରୀକୁ ଦିଆଯାଉଛି ନୂଆ ରୂପ । ବିଶ୍ୱ ପର୍ଯ୍ୟଟନ ସହରର ସୌନ୍ଦର୍ଯ୍ୟକରଣ ପାଇଁ କରାଯାଉଛି ୱାଲ ଆର୍ଟ ବା ୱାଲ ପେଟିଂ । ଶ୍ରୀକ୍ଷେତ୍ର କାଂଥରେ ଚିତ୍ରିତ ହେଉଛି ଓଡିଶାର କଳା, ସଂସ୍କୃତି, ପ୍ରଥା ଓ ଜଗନ୍ନାଥ ସଂସ୍କୃତି । ଶ୍ରୀମନ୍ଦିର, ମହାପ୍ରଭୁଙ୍କ ଦାରୁ ଖୋଜା, ମହାପ୍ରସାଦ ସାଙ୍ଗକୁ ବିଭିନ୍ନ ପ୍ରକାରର ୱାଲ ଆର୍ଟ କରାଯାଉଛି । କେବଳ ଏତିକି ନୁହେଁ ଚିଲିକାର ଡଲଫିନ, ଅର୍କ କ୍ଷେତ୍ରର କୋଣାର୍କ ମନ୍ଦିର, ମହୋଦଧୀରେ ବେଳଭୂମୀକୁ ଅତି ସୁନ୍ଦର ଭାବେ ଚିତ୍ରିତ କରୁଛନ୍ତି ପୁରୀର ଓଡିଶା ଚାରୁକଳା ଆର୍ଟ କଲେଜର ୧୫ ଜଣ ଛାତ୍ର ଓ ଶିକ୍ଷକମାନେ । ଚାନ୍ଦୁଆ, ପଟ୍ଟଚିତ୍ର ଓ ମାଟି କଣ୍ଢେଇ ସ୍ଥାନ ପାଇଛି ଚିତ୍ରକାରଙ୍କ ତୂଳୀରେ ।

ନାଲୋକର ଆର୍ଥିକ ସହାୟତାରେ ଜଗନ୍ନାଥ ଧାମର ସୌନ୍ଦର୍ଯ୍ୟକରଣ କରାଯାଉଛି । ପର୍ଯ୍ୟାୟକ୍ରମେ ଏହି କାମ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପୁରୀ ଭିଆଇପି ରୋଡରୁ ସୁମୁଦ୍ରକୂଳ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱ କାଂଥରେ ପେଂଟିଂ କରାଯାଉଛି । ତେବେ ମୋଟ ୩୪ ହଜାର ବର୍ଗଫୁଟ କାଂଥରେ ୱାଲ୍ ଆର୍ଟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଶ୍ରୀକ୍ଷେତ୍ରରେ ୱାଲ ପେଂଟିଂ ଦ୍ୱାର ଓଡିଶା ଏବଂ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବାବଦରେ ପର୍ଯ୍ୟଟକ ଜ୍ଞାନ ଆହରଣ କରିପାରିବେ ବୋଲି କୁହାଯାଉଛି ।