ପୁରୀ ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲାରେ ଆସିଲା ନୂଆ ମୋଡ !

50

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା ଏକ ନୂଆ ମୋଡ ନେଇଛି । ପୁରୀ ତହସିଲଦାରଙ୍କ କୋର୍ଟରେ ପ୍ରକାଶ ପାଇଥିବା ରାୟ ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ମଠ ଅର୍ଥାତ୍ ପୁରୀ ଗୋବର୍ଦ୍ଧନ ପୀଠ, ଶ୍ରୀମନ୍ଦିର ଖାତାକୁ ଆସିଛି । ପୂର୍ବରୁ ପୁରୀ ଗୋବର୍ଦ୍ଧନ ପୀଠ, ଏହାକୁ ନିଜସ୍ୱ ଜମି ବୋଲି ଦାବି କରୁଥିଲା । ତହସିଲଦାରଙ୍କ ଏହି ନିଷ୍ପତି ପରେ ଗୋବର୍ଦ୍ଧନ ପୀଠର ଓକିଲ କହିଛନ୍ତି, ଏହି ରାୟ ବିରୋଧରେ ସେ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ଅବେଦନ କରିବେ ।

ସେପଟେ ବହୁ ପରିମାଣରେ ସ୍ୱର୍ଗଦ୍ୱାର ଜବରଦଖଲ ଜମି ଶ୍ରୀମନ୍ଦିର ଓ ସରକାରଙ୍କ ଖାତାକୁ ଫେରିଛି । ୧୧ ଏକରରୁ ଅଧିକ ଜବରଦଖଲ ଜମି ଶ୍ରୀମନ୍ଦିର ଖାତାକୁ ଫେରିଛି । ସେହିପରି ସରକାରଙ୍କ ଖାତାକୁ ଅଢେଇ ଏକର ଜମି ଫେରିଛି । ସେପଟେ ୧୦ଦଶମିକ ୨୫୬ ଏକର ଜମି ୨୪୦ ଜଣଙ୍କ ନାଁରେ ବେଆଇନ ଭାବେ ରହିଛି ବୋଲି ପୁରୀ ତହସିଲଦାର ସୂଚନା ଦେଇଛନ୍ତି । ସମ୍ପୃକ୍ତ ଜମି ଯେଉଁମାନଙ୍କ ନାଁରେ ରହିଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ କରାଯିବ ବୋଲି ଜଣାପଡିଛି ।