ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜା ! ଶ୍ରୀମନ୍ଦିର ପ୍ରସଙ୍ଗରେ ଆଲୋଚନା

42

କନକ ବ୍ୟୁରୋ : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୁରୀ ଗଜପତି । ଏହି ବୈଠକ ଏବେ ଚାଲିଛି । ବୈଠକରେ ଶ୍ରୀମନ୍ଦିର ଉନ୍ନତି ପ୍ରସଙ୍ଗରେ ଆଲୋଚନା ହୋଇଛି । ବୈଠକରେ ପୁରୀ ଜିଲ୍ଲାପାଳ, ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସକ, ଆଇନ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସୁଛି । ଏହା ପୂର୍ବରୁ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

puri gajapati

ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଆଇନ ବିଭାଗ ଅନୁମତି ଦେବା ପରେ ଏଥିପାଇଁ ପ୍ରକ୍ରିୟା ଜୋରଦୋର ହୋଇଛି । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ପୁରୀରେ ବସିବ ଛତିଶା ନିଯୋଗ ବୈଠକ । ଏଥିରେ ରତ୍ନଭଣ୍ଡାର ଖୋଲିବା ତାରିଖ ନେଇ ନିଷ୍ପତି ନିଆଯିବ । ଗତକାଲି ପରିଚାଳନା କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ଚୂଡାନ୍ତ ହୋଇଛି । ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବ ସହ ଭିଡିଓଗ୍ରାଫି ହେବ ।

ଯାଂଚ ସମୟରେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଯାଇଥିବା ଲୋକେ ଛୁଇଁପାରିବେ ନାହିଁ । ତେବେ କେଉଁମାନେ ରତ୍ନଭଣ୍ଡାରକୁ ଯିବେ ତାହା ସ୍ଥିର ହୋଇନାହିଁ । ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେମାନଙ୍କ ସ୍କାନିଂ କରାଯିବ । କୌଣସି ବ୍ୟକ୍ତିଗତ ଜିନିଷ ସେମାନେ ନେଇପାରିବେ ନାହିଁ । ଧୋତି , ଗାମୁଛାଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ । ରତ୍ନଭଣ୍ଡାର ଯାଂଚର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ତେବେ ଅଳଙ୍କାର ଓ ଅନ୍ୟ ଜିନିଷର ଭିଡିଓଗ୍ରାଫି ହେବନାହିଁ । କେବଳ ଛାତ ଓ କାନ୍ଥର ଭିଡିଓଗ୍ରାଫି ହେବ । ଭିତରରୁ ଯିବା ଲୋକଙ୍କର ସ୍କାନିଂ ଓ ଫେସ୍କିଂ ହେବ ।