ଗୁହାଳରେ ୧୭ ବର୍ଷ ! ଯେଉଁଠି ରହୁଛନ୍ତି ଗୃହପାଳିତ ପଶୁ ସେଇଠି ରହୁଛନ୍ତି ପରିବାର ସଦସ୍ୟ

45

କନକ ବ୍ୟୁରୋ : ହିତାଧିକାରୀଙ୍କ ଅର୍ଥ ହୋଇଗଲା ହଡପ୍ । ଆଉ ଅଧାରେ ରହିଗଲା ଘର ତିଆରିର ସ୍ୱପ୍ନ । ସେଥିପାଇଁ ଗୁହାଳରେ କଟୁଛି ଜୀବନ । ଯେଉଁଠି ରହୁଛନ୍ତି ଗୃହପାଳିତ ପଶୁ ସେଇଠି ରହୁଛନ୍ତି ପରିବାର ସଦସ୍ୟ । ଆଉ ଗୁହାଳରେ ଶୋଇବା , ରୋଷେଇ କରିବା ଏବଂ ଖାଇବା ପରିବାର ଲୋକଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ମୁଣ୍ଡକୁ ପକା ଛାତଟିଏ ନଥିବାରୁ ନିମାପଡାର ମହେଶ୍ୱର ଓ ତାଙ୍କ ପରିବାର ପଲିଥିନ ଘରେ ଚଳିଆସୁଛନ୍ତି । ବାପ ଏବଂ ଝିଅ ପରଘରେ ମୂଲଲାଗିବା ସହିତ ଛେଳି ଚରାଇ ଗୁଜରାଣ ମେଂଟାଇଥାଆନ୍ତି ।

ଘର ଖଣ୍ଡିଏ ନଥିବାରୁ ୨୦୧୪ – ୨୦୧୫ ଆର୍ଥୀକ ବର୍ଷରେ ଇନ୍ଦିରା ଆବାସ ଘର ପାଇଁ ମହେଶ୍ୱର ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁବା ପରେ ବି ତାଙ୍କୁ ଯୋଗ୍ୟ ତାଲିକାରୁ ବାଦ ଦିଆଯାଇଥିଲା । ଏପଟେ ପ୍ରଶାସନ ପକ୍ଷରୁ ମହେଶ୍ୱରଙ୍କ ପତ୍ନୀଙ୍କ ନାମରେ ଇନ୍ଦିରା ଆବାସ ଦିଆଯାଇଥିବା କୁହାଯାଇଛି । କିନ୍ତୁ ହିତାଧିକାରୀ ଇନ୍ଦିରା ଆବାସ ପାଇନଥିବା କହୁଛନ୍ତି ଗ୍ରାମବାସୀ । ମହେଶ୍ୱରଙ୍କ ପତ୍ନୀ ରୁପଶ୍ରୀ ସେନାପତିଙ୍କ ନାମରେ ଆସିଥିବା ଅନୁଦାନକୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି ।

ତୁରନ୍ତ ଘଟଣାର ତଦନ୍ତ କରାଯାଇ ଅର୍ଥ ହଡପକାରୀଙ୍କୁ ଦଣ୍ଡ ଦେବା ସହିତ ମହେଶ୍ୱରଙ୍କୁ ଇନ୍ଦିରା ଆବାସଟିଏ ଯୋଗାଇ ଦେବାପାଇଁ ଦାବୀ ଜୋର ଧରିଛି ।