ପୁଲୱାମା ଆତଙ୍କବାଦୀ ଆକ୍ରମଣ : ଭାରତ ସପକ୍ଷରେ ଅନେକ ଦେଶ, ଆକ୍ରମଣକୁ କଡ଼ା ନିନ୍ଦା

164

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଆମେରିକା, ଋଷ, ଫ୍ରାନ୍ସ ସମେତ ସାରା ବିଶ୍ୱର ଅନେକ ଦେଶ ଘଟଣାକୁ ନିନ୍ଦା କରିଛନ୍ତି । ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଭାରତ ସହ ସମସ୍ତେ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ସିଆରପିଏଫ୍ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ଜୈସ ସଂଗଠନ କଶ୍ମୀରରେ ଭାରତୀୟ ସେନାକୁ ଲଗାତାର ଟାର୍ଗେଟ୍ କରି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଏକ ବିସ୍ଫୋରକ ବୋଝେଇ ସ୍କର୍ପିଓ ବ୍ୟବହାର କରି ସିଆର୍ପିଏଫ୍ ଉପରେ ଆକ୍ରମଣ କରିଛି । ପଠାନ କୋଟ ଏବଂ ଉରି ପରେ ଭାରତୀୟ ଯବାନଙ୍କ ଉପରେ ଏତେ ଭୟାନକ ଆକ୍ରମଣ ସମସ୍ତଙ୍କ କଳ୍ପନା ବାହରେ ଥିଲା । ସିରିୟା ଏବଂ ଆଫଗାନ୍ ଶୈଳୀରେ ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସ˚ଗଠନ ଯୋଜନା କରୁଥିବା ନେଇ କେତେକ ଗୁଇନ୍ଦା ତଥ୍ୟ ମିଳିଥିଲେ ମଧ୍ୟ ଏହାକୁ ରୋକିବାକୁ କୌଣସି ଉପାୟ ନଥିଲା ।

ଭାରତରେ ଆମେରିକା ରାଜଦୂତ କେନେଥେ ଜଷ୍ଟର ଟ୍ୱିଟ୍ କରି କହିଛନ୍ତି ଜମ୍ମୁ-କଶ୍ମୀର ହୋଇଥିବା ଆକ୍ରମଣକୁ ମୁଁ ଆମେରିକା ଦୃଢ଼ ନିନ୍ଦା କରୁଛି । ଏହାବ୍ୟତୀତ ପୀଡ଼ିତ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି । ରୁଷ ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି ।ଭାରତରେ ଫ୍ରାନ୍ସ ରାଜଦୂତ ଆଲେକଜାଣ୍ଡାର ଜିଗଲର କହିଛନ୍ତି, ଫ୍ରାନ୍ସ ଜମ୍ମୁ-କଶ୍ମୀରରେ ହୋଇଥିବା ଜଘନ୍ୟ ତଥା ଅମାନବବୀୟ ଘଟଣାକୁ କାନ ନିନ୍ଦା କରିଛନ୍ତି । ଜର୍ମାନୀ ସମେତ ଅଷ୍ଟ୍ରଲିଆ, ତୁର୍କୀ, ଚେକ୍ ରିପବ୍ଲକି୍ ମଧ୍ୟ ଆକ୍ରମଣର ଘୋର ନିନ୍ଦା କରିଛନ୍ତି ।

ଭାରତର ଅନେକ ପଡ଼ୋଶୀ ଦେଶ ଏହି ଆକ୍ରମଣ ପାଇଁ ଏକାଠିି ହୋଇଛନ୍ତି । ବାଙ୍ଗଲାଦେଶ, ଭୂଟାନ୍, ଶ୍ରୀଲଙ୍କା, ମାଳଦ୍ୱୀପ ସମେତ ଅନେକ ଦେଶ  ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଛନ୍ତି । ବର୍ତ୍ତମାନ ଦେଶରେ ଦଳ ତଥା ରାଜନୀତିରୁ ଉର୍ଦ୍ଧ୍ୱ ଉଠି ଆକ୍ରମଣକୁ କଡ଼ା ନିନ୍ଦା କରୁଛନ୍ତି । ନେତାଙ୍କ ଠାରୁ ଆରମ୍ଭ କରି କ୍ରିଟେର ଓ ବଲିଉଡ଼୍ ହସ୍ତିମାନେ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ।