ଜମ୍ମୁବାସୀଙ୍କ ପ୍ରତି ବଢିଲା ବିପଦ: ଡେରାଡୁନ, ହରିଆଣା ଓ ବିହାରରେ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କୁ କରାଯାଉଛି ଟାର୍ଗେଟ

ଖବର ଆସିବା ପରେ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଡଭାଇଜରି

395

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶର ବିଭିନ୍ନ ଅଂଚଳରେ ରହୁଥିବା ଜମ୍ମୁବାସୀଙ୍କ ପ୍ରତି ବଢିଲା ବିପଦ । ଡେରାଡୁନ, ହରିଆଣା ଓ ବିହାରରେ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆସିଛି । ଏନେଇ ଖବର ଜଣାପଡିବା ପରେ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡଭାଇଜରି ଜାରି କରିଛନ୍ତି । ଜମ୍ମୁବାସୀଙ୍କୁ ହଇରାଣ ହରକତ ନକରିବା ପାଇଁ କୁହାଯାଇଛି । ଏହାସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ, ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନ ବିରୋଧରେ ଭାରତର କୁଟନୈତିକ ପଦକ୍ଷେପକୁ ସ୍ୱାଗତ କରିଛି ଆମେରିକା । ସୀମାପାର ଆତଙ୍କବାଦ ବିରୋଧରେ ଆତ୍ମରକ୍ଷା ପାଇଁ ଭାରତ ନେଉଥିବା ପଦକ୍ଷେପକୁ ଏକପ୍ରକାର ଗ୍ରୀନସିଗନାଲ ଦେଇଛି ଟ୍ରମ୍ପ ପ୍ରଶାସନ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନଯୋଗେ ଦୁଇଥର କଥା ହୋଇଛନ୍ତି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବଲଟନ୍ । ପୁଲୱାମା ହମଲା ପଛରେ ଥିବା ଆତଙ୍କୀ ମାଷ୍ଟର ମାଇଣ୍ଡ ଓ ତାର ସମର୍ଥକ ମାନଙ୍କୁ ଶାସ୍ତି ଦେବାଲାଗି ଭାରତକୁ ଆମେରିକାର ସମର୍ଥନ ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ସେପଟେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହର ମାମଲାରେ ଚୀନ ତାର ଆଭିମୁଖ୍ୟ ନେଇ ଚିନ୍ତା କରିବ ବୋଲି କହିଛି । ମିଲିତ ଜାତିସଂଘ ସୁରକ୍ଷା ପରିଷଦରେ ଜେଇଏମ୍ ମୁଖ୍ୟ ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା ପାଇଁ ପ୍ରୟାସ କରିଆସୁଛି ଭାରତ । ହେଲେ ପାକିସ୍ତାନକୁ ଚୀନର ସମର୍ଥନ ଫଳରେ ଏହା ସମ୍ଭବ ହୋଇପାରୁ ନାହିଁ । ହେଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛି ବେଜିଂ । ଏପରିକି ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କୀ ମାନ୍ୟତା ବାବଦରେ ଚୀନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ, ବିନା କୌଣସି ପ୍ରରୋଚନାରେ ଏବଂ ସଞ୍ଜମତାର ସହ ନିଷ୍ପତି କରିବ ବୋଲି କହିଛି । କିନ୍ତୁ ଚୂଡାନ୍ତ ନିଷ୍ପତି କରିବା ପୂର୍ବରୁ ସବୁ ପକ୍ଷ ସହ ଭାରତ ସହିତ ମଧ୍ୟ ଆଲୋଚନା କରାଯିବ ବୋଲି ବେଜିଂ ସ୍ପଷ୍ଟ କରିଦେଇଛି ।