ଚଳିତ ବର୍ଷ ବଢିବ ନାହିଁ ଡାଲି ଦର

66

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ବର୍ଷ ବଢିବ ନାହିଁ ଡାଲି ଦର । ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶୱାନ । ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି । ଗତ ବର୍ଷ ଆବଶ୍ୟକତା ଓ ଯୋଗାଣ ଭିତରେ ବହୁତ ବଡ ବ୍ୟବଧାନ ଥିବାରୁ ଡାଲିର ଦର ବୃଦ୍ଧି ପାଇଥିଲା । ତେବେ ଚଳିତ ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବ ନାହିଁ । ବେଆଇନ ଭାବେ ଡାଲି ମହଜୁଦ ସହ କଳାବଜାରୀ ରୋକିବାକୁ ପ୍ରାଥମିକତା ଦିଆଯାଉଛି । ସେହିପରି ରାଜ୍ୟଗୁଡିକୁ ଡାଲି ଜାତୀୟ ଖାଦ୍ୟ ଉପରେ ଟିକସ ନଲଗାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏପଟେ ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଡାଲି ଯୋଗାଇ ଦେବାକୁ ରାଜ୍ୟ ଖାଦ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀରେ ଦାବି କରାଯାଇଛି । କେନ୍ଦ୍ର ସରକାର ନିର୍ଦ୍ଧାରିତ କରିଥିବା ୫୦ ହଜାର ଟନ୍ ଡାଲିର ବଫର ଷ୍ଟକରୁ ୫ ହଜାର ଟନ୍ ହରଡ ଡାଲି ଯୋଗାଇ ଦେବାକୁ ଦାବି କରିଛନ୍ତି ଓଡିଶା ସରକାର । ଗତକାଲି ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ମାନଙ୍କ ବୈଠକରେ ଏଭଳି ଦାବି ରଖିଛି ଓଡିଶା । ତେବେ ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଯୋଗ ଦେଇନଥିବାବେଳେ ବିଭାଗୀୟ ସଚିବ ମଧୁସୂଦନ ପାଢୀ ସାମିଲ ହୋଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ସେ ରାଜ୍ୟରେ ୪ଲକ୍ଷ ଟନ୍ ଡାଲିର ଆବଶ୍ୟକତା ଥିବା କହିଥିଲେ ।