ଦେଶ ବାଛିଲା ନୂଆ ରାଷ୍ଟ୍ରପତି ! ଆସନ୍ତା ୨୦ ତାରିଖରେ ବିଧିବଦ୍ଧ ଭାବେ ଫଳାଫଳ ହେବ ଘୋଷଣା

40

କନକ ବ୍ୟୁରୋ : ରାମନାଥ କୋବିନ୍ଦ ବନାମ ମୀରା କୁମାର । ଦେଶର ସର୍ବୋଚ୍ଚ ପଦବୀ ପାଇଁ ହୋଇଛିି ନିର୍ବାଚନ । ଦେଶ ବାଛିଚି ବିଶ୍ୱର ବୃହତମ ଗଣତନ୍ତ୍ରର ପରବର୍ତ୍ତୀ ରାଷ୍ଟ୍ରପତି । ରଷ୍ଟ୍ରପତି ନିର୍ବାଚନର ଗଣିତକୁ ଦେଖିଲେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ପଦରେ ବସିବା ନେଇ କେବଳ ଔପଚାରିକ ଘୋଷଣା ବାକି ଅଛି । ଆସନ୍ତା ୨୦ ତାରିଖରେ ବିଧିବଧ ଭାବେ ଫଳାଫଳ ଘୋଷଣା ହେବ । ରାମନାଥଙ୍କ ବିପକ୍ଷରେ ବିରୋଧୀ ଛିଡା କରିଥିଲେ ମୀରା କୁମାରଙ୍କୁ । ଆଉ ମୀରା ଆହ୍ୱାନ ଦେଇଥିଲେ ବିଚାରଧାରାର ଲଢେଇରେ ବିବେକ ଅନୁଯାୟୀ ଭୋଟ ଦେବାକୁ ।

ସକାଳ ୧୦ଟା ପୂର୍ବରୁ ଦିଲ୍ଲୀର ସଂସଦ ଭବନରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାପରେ ଲାଗିଥିଲା ସାଂସଦଙ୍କ ଲମ୍ବା ଲାଇନ୍ । ଜଣକ ପରେ ଜଣେ, ସବୁ ଦଳର ସାଂସଦ ପହଁଚିଥିଲେ ନିଜ ନିଜ ଦଳର ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେବାପାଇଁ ।

ଏପଟେ ଓଡିଶା ବିଧାନସଭାରେ ଭୋଟ୍ ଦେଇଛନ୍ତି ସବୁ ଦଳର ବିଧାୟକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ରାଷ୍ଟ୍ରପତି ମତଦାନ ପାଇଁ ହୋଇଥିଲା ବ୍ୟବସ୍ଥା । ପ୍ରଥମେ ଭୋଟ୍ ଦେଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବିଧାୟକଙ୍କ ସହ ଆସି ଭୋଟ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତାଙ୍କ ସମେତ ଅନ୍ୟ ବିଧାୟକ ବି ଭୋଟ୍ ଦେଇଥିଲେ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ସବୁ ରାଜ୍ୟର ବିଧାନସଭାରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ରାଜ୍ୟ ମୁଖିଆ । ଆସନ୍ତା ୨୦ ତାରିଖରେ ଜଣାପଡିବ କିଏ ହେବ ଦେଶର ପରବର୍ତୀ ରାଷ୍ଟ୍ରପତି । ରାମନାଥ କୋବିନ୍ଦ ନା ମୀରା କୁମାର ।