ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ! କହିଲେ, କଳାର ଉତ୍କୃଷ୍ଟ ରାଜ୍ୟ ହେଉଛି “ଓଡିଶା”

84

କନକ ବ୍ୟୁରୋ: ଜଗନ୍ନାଥ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶହେ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଠାରେ ସେ କହିଥିଲେ କଳାର ଉକ୍ରୃଷ୍ଟ ରାଜ୍ୟ ହେଉଛି ଉକ୍ରଳ । ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି । ଅଧିକ ଭାଷା ଜାଣିଲେ ଜଣକର ବିଜ୍ଞତା ବୃଦ୍ଧି ପାଇଥାଏ । ପୁରୀକୁ କୁହାଯାଏ ବିଦ୍ୟାର ନଗରୀ । ପୁରୀରେ ଜନ୍ମିତ ସୁଯୋଗ୍ୟ ସନ୍ତାନ୍ତକୁ ବି ମନେ ପକାଇଥିଲେ ରାମନାଥ କୋବିନ୍ଦ । ସଂସ୍କୃତ ଭାଷାରେ ଅନେକ ପ୍ରସିଦ୍ଧ ପୁସ୍ତକ ରହିଛି ଓ ଏହି ଭାଷାକୁ ନେଇ ଅନୁସନ୍ଧାନ ଚାଲିଛି । ପୁରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ରାଜଭବନରେ ପଂହଚିଛନ୍ତି । ଅପରାହ୍ନରେ ସେ ଆଇଆଇଟିର ସମାବର୍ତନ ଉତ୍ସବରେ ଯୋଗଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ସାଢେ ୭ଟାରେ ସେ ଶ୍ରୀମନ୍ଦିର ପ୍ରବେଶ କରି ବେଢା ଭିତରେ ପ୍ରାୟ ୪୫ ମିନିଟ ଧରି ରହିଥିଲେ । ଗର୍ଭଗୃହରେ ସେ ପ୍ରାୟ ୨୦ ମିନିଟ ଧରି ରହିଥିଲେ । ଏହା ପରେ ପ୍ରାୟ ୮ଟା ୧୫ ବେଳକୁ ସେ ଜଗନ୍ନାଥ ଦର୍ଶନ ସାରି ଫେରିଥିଲେ । ରତ୍ନସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ବି ଯାଇଥିଲେ । ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଗଜପତିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉପହାର ସ୍ୱରୂପ ରାଷ୍ଟ୍ରପତିଙ୍କୁ ପଟଚିତ୍ର, ଖଣ୍ଡୁଆ ଦିଆଯାଇଥିଲା । ଆଲୋଚନାବେଳେ ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । ସେହିଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଆହୁରି ସୁବିଧା ସୁଯୋଗ ଦେବା ଉପରେ ମଧ୍ୟ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ବେଳେ ସେବାୟତଙ୍କୁ ପାଉଣା ନ ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ । କୌଳିକ ପଣ୍ଡାଙ୍କୁ ସେବା ସୁଯୋଗ ଦିଆ ଯାଇନଥିବାରୁ ବି ସେବାୟତ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଆଜି ଶ୍ରୀମନ୍ଦିର ଗସ୍ତ ବେଳେ ରାମନାଥ କୋବିନ୍ଦ ସେବାୟତଙ୍କୁ କୌଣସି ପାଉଣା ଦେଇନଥିଲେ । ଏହାକୁ ନେଇ ସେବାୟତ ନାରାଜ ହୋଇଛନ୍ତି ।