କାହା ପାଇଁ ଜନନୀ ସୁରକ୍ଷା ଯୋଜନା? ବାରମ୍ବାର ଫୋନ ସତ୍ୱେ ଆସିଲାନି ଆମ୍ବୁଲାନ୍ସ ଶେଷରେ ଟ୍ରଲିରେ ପ୍ରସବ କଲେ ମହିଳା

43

କନକ ବ୍ୟୁରୋ: ମିଳିଲାନି ଜନନୀ ସୁରକ୍ଷା ଆମ୍ବୁଲାନ୍ସ । ଟ୍ରଲିରେ ପ୍ରସବ କଲେ ପ୍ରସୁତି । ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ଦ ଚାନ୍ଦବାଲି ବ୍ଲକରୁ । ଭାଟପଡ଼ା ପଂଚାୟତ ଶେରପୁର ଗାଁର ଭାନୁ ମହାଳିକଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହୋଇଥିଲେ ।

ପରେ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ । ହେଲେ ତାହା ଅନ୍ୟତ୍ର ଥିବାରୁ ଆସିବାକୁ ମନା କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ମହିଳାଙ୍କ ସ୍ୱାମୀ ସୁମନ କୌଶଲ୍ୟା ନିକଟସ୍ଥ ଦୋଳମଣ୍ଡପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟ୍ରଲିରେ ଆଣିଥିବା ବେଳେ ସେଠାରେ ପ୍ରସବ କରିବା ସୁବିଧା ନାହିଁ ବୋଲି ଡାକ୍ତରଖାନାର ସୁଇପର କହିଥିଲେ ।

ଫଳରେ ନିରାଶ ହୋଇ ଟ୍ରଲି ସାହାଯ୍ୟରେ ଦୀର୍ଘ ୭ କିଲୋମିଟର ଦୂର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିବା ବାଟରେ ଟ୍ରଲି ଉପରେ ପ୍ରସବ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ମିଳିଛି ।