କୋରାପୁଟ ଚାଷୀ ଆଖିରେ ଲୁହ ଆଣିଛି ପ୍ରାକ୍ ମୌସୁମି ବର୍ଷା ! ବର୍ଷାରେ ଗଜା ହେଲା ପାଚିଲା ଧାନ

44

କନକ ବ୍ୟୁରୋ : ରାଜ୍ୟବାସୀ ପ୍ରାକ୍ ମୌସୁମିକୁ ସ୍ୱାଗତ କରୁଥିବା ବେଳେ କୋରାପୁଟରେ ପ୍ରାକ୍ ମୌସୁମି ବର୍ଷା ଆଣିଛି ଚାଷୀ ଆଖିରେ ଲୁହ । ବର୍ଷା ପ୍ରଭାବରେ ଜମିରେ ଗଜା ହୋଇଯାଇଛି ଅମଳ ହେବାକୁ ଥିବା ଧାନ । କୋରାପୁଟରେ ଚାଷୀଙ୍କ ଅଂଟା ଭାଙ୍ଗିଦେଇଛି ପ୍ରାକ୍ ମୌସୁମି ବର୍ଷା । କେଉଁଠି ବର୍ଷା ପ୍ରଭାବରେ ଅମଳ ହେବାକୁ ଥିବା ଧାନ ଗଜା ହୋଇଯାଇଛି ତ ଆଉ କେଉଁଠି ଧାନ ଫିମ୍ପି ମାରିଯାଇଛି । ଫିମ୍ପି ମାରିଯାଇଥିବା ଧାନକୁ ସୁଖାଉଛନ୍ତି ଚାଷୀ ।

ଆଉ କେତେକ ଅଂଚଳରେ ଧାନ ବିଲରୁ ଖଳାକୁ ଆଣିବା ଅସମ୍ଭବ ହୋଇପଡିଛି । ଏଭଳି ଅସୁବିଧା ଭୋଗୁଛନ୍ତି ଜୟପୁର, ବୈପାରିଗୁଡା ଓ କୁନ୍ଦ୍ରା ବ୍ଲକର ଲୋକେ । ଡାଳୁଅ ଧାନ ଅମଳ ବେଳକୁ ଚାଷୀଙ୍କ ପାଇଁ କାଳ ହୋଇଛି ବର୍ଷା । ସେପଟେ ଗଜା ଧାନ କିଣିବାକୁ କେହି ରାଜି ହେଉନଥିବାରୁ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ସେପଟେ ଉପଯୁକ୍ତ ସମୟରେ ଡାଳୁଅ ଚାଷ ପାଇଁ ପାଣି ଛଡାଯାଉନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ ସଂଗଠନ ସମ୍ପାଦକ ।

ଏହାସହ ଚାଷୀଙ୍କ ସମସ୍ୟା ନେଇ ଆଉ ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜୁନାଗଡ ବ୍ଲକ ଚାରବାହାଲ ମଣ୍ଡିରୁ । ଏଠାରେ ଆବଶ୍ୟକ ମୁତାବକ ସେଡ ନିର୍ମାଣ ହୋଇପାରୁ ନଥିବାରୁ ଖୋଲା ଆକାଶ ତଳେ ପଡ଼ି ରହିଛି ଶହଶହ ବସ୍ତା ଧାନ । ମଣ୍ଡିରେ ଚାଷୀଙ୍କୁ ଗୁରୁତ୍ୱ ଦିଆନଯାଇ ଦଲାଲଙ୍କ ଧାନ ଆଗ କିଣାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ସହ ନିୟମ ଅନୁଯାୟୀ ଧାନ କିଣାଯାଉଛି ବୋଲି ସଫେଇ ଦେଇଛନ୍ତି କ୍ରୟ ଅଧିକାରୀ । ଚାଷୀଙ୍କ ଅମଳ ଠାରୁ ବିକ୍ରି ଯାଏଁ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ଦଲାଲ ମିଲରଙ୍କ ମଧୁଚନ୍ଦ୍ରିକା ଦାଉ ସାଧୁଛି ।