ଶଙ୍ଖ ଧରିଲେ ପ୍ରଣୟ ସାହୁ ! ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ହେଲେ ସାମିଲ

581

କନକ ବ୍ୟୁରୋ : ବିଜେଡିରେ ଯୋଗଦେଲେ ପ୍ରଣୟ ସାହୁ । କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଲେ ପ୍ରଣୟ ସାହୁ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହେଲେ ପ୍ରଣୟ । ରୀତା ସାହୁଙ୍କ ଉପସ୍ଥିତିରେ ତଥା ଶହ ଶହ କର୍ମୀଙ୍କ ଉପସ୍ଥିତରେ ଶଙ୍ଖ ଧରିଲେ ପ୍ରଣୟ । ଗାଇସିଲାଟ୍ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସର ବିଜେପୁର ଉପନିର୍ବାଚନ ପରାଜିତ ପ୍ରାର୍ଥୀ ପ୍ରଣୟ ସାହୁ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ଦୁଇ ଲାଇନ ବିଶିଷ୍ଟ ନିଜ ଇସ୍ତଫାପତ୍ର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପଠାଇଥିଲେ । ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁଙ୍କ ବିରୋଧରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ  ।

ବିଜେପୁର ଉପ ନିର୍ବାଚନରେ ପ୍ରଣୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ୧୦,୨୭୨ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚଳିତ ବିଜେପୁର ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗଡ ରକ୍ଷା କରିବାରେ ବିଫଳ ହେବା ସହ ଅମାନତ ମଧ୍ୟ ହରାଇଥିଲେ । ଯାହା କଂଗ୍ରେସ ପାଇଁ ଏକ ବଡ ଝଟକା ଥିଲା ।

ଇସ୍ତଫା ଦେବା ପରେ ପ୍ରଣୟ କହିଥିଲେ, ଉପ-ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ସମୀକ୍ଷା କରିବାକୁ ଦଳୀୟ ନେତୃତ୍ୱଙ୍କୁ କହିଥିଲି । କିନ୍ତୁ ସମୀକ୍ଷା ହେଲା ନାହିଁ । କଂଗ୍ରେସ ପୁନର୍ବିନ୍ୟାସରେ ବି ମୋର କିଛି ଭୂମିକା ରହିଲାନି । ତେଣୁ ଇସ୍ତଫା ଦେଲି । କଂଗ୍ରେସ ପୁନର୍ବିନ୍ୟାସରେ ବି ତାଙ୍କର କିଛି ଭୂମିକା ରହିଲା ନାହିଁ । ଏପରିକି ନିର୍ବାଚନ ସମୟରେ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ହେଉଛି, ଯାହା ସାଧାରଣ ନେତା କର୍ମୀ ଓ ଲୋକଙ୍କୁ ବ୍ୟଥିତ କରୁଛି । ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ତେବେ ସେ ଆଗକୁ ଆଉ ନିର୍ବାଚନ ଲଢିବେ ନାହିଁ ଏବଂ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିବେ । ଓ ନବୀନ ପଟ୍ଟନାୟକ ସ୍ଥାନୀୟ ଅଂଚଳର ସମସ୍ୟା ଖୁବ ଶୀଘ୍ର ସମାଧାନ କରିବେ ବୋଲି ତାଙ୍କ ଆଶା ରହିଥିବା କହିଛନ୍ତି ।