ଦିଲ୍ଲୀ ଗୁରୁଗ୍ରାମର ରେୟାନ ସ୍କୁଲରେ ଛାତ୍ର ମୃତ୍ୟୁ ମାମଲା ! ତଦନ୍ତ ଆରମ୍ଭ କଲା ସିବିଆଇ, ଘଟଣାସ୍ଥଳକୁ ଯାଇ ଛାନଭିନ

23

କନକ ବ୍ୟୁରୋ: ଗୁରୁଗ୍ରାମର ରେୟାନ ଇଂଟରନେସନାଲ ସ୍କୁଲରେ ଛାତ୍ର ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଜି ସକାଳେ ସିବିଆଇ ତିନି ଜଣିଆ ତଦନ୍ତକାରୀ ଦଳ ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । ଏନେଇ ଗୁରୁଗ୍ରାମ ଥାନାରେ ଏତଲା ଦେଇ ଯାଂଚ ଆରମ୍ଭ କରିଛି ସିବିଆଇ । କେନ୍ଦ୍ର ସରକାରଙ୍କ ଅଧିସୂଚନା ମିଳିବା ପରେ ସିବିଆଇ ନିଜ ହାତକୁ ତଦନ୍ତ ନେଇଛି । ଗତକାଲି ସଂଧ୍ୟାରେ ସିବିଆଇ ଟିମ ଗୁରୁଗ୍ରାମ ପୋଲିସ ମୁଖ୍ୟକାର୍ଯ୍ୟାଳୟକୁ ଯାଇ ହତ୍ୟାକାଣ୍ଡର ତଦନ୍ତ ଭାର ଗ୍ରହଣ କରିଛି ।

ଏହି ସୂଚନା ଦେଇଛନ୍ତି ସିବିଆଇ ପ୍ରବକ୍ତା ଅଭିଷେକ ଦୟାଲ । ସେପଟେ ମୃତ ଛାତ୍ରଙ୍କ ପିତା ଶନିବାର ସୁଦ୍ଧା ଘଟଣାର ତଦନ୍ତ ଭାର ସିବିଆଇ ନ ନେଲେ ସୋମବାର ସୁପ୍ରିମକୋର୍ଟ ଯିବେ ବୋଲି ଧମକ ଦେଇଥିଲେ । ସେପ୍ଟେମ୍ବର ୮ରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ସ୍କୁଲ ଟଏଲେଟରେ ଗଳାକାଟି ବିଭତ୍ସ ଭାବେ ହତ୍ୟା କରିଥଲା ସ୍କୁଲ ବସର କଣ୍ଡକ୍ଟର । ଏହି ମାମଲାରେ ପୋଲିସ ଅଭିଯୁକ୍ତ କଣ୍ଡକ୍ଟର ଅଶୋକକୁ ଗିରଫ କରି ଅଧିକ ତଦନ୍ତ ଚଲାଇଥିଲା ।

ତେବେ ପ୍ରକୃତ ଅପରାଧୀକୁ ଖସାଇବା ପାଇଁ ଅଶୋକକୁ ବଳି ଦିଆଯାଉଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲେ ପ୍ରଦ୍ୟୁମ୍ନଙ୍କ ପରିବାର ଲୋକେ । ପରିବାର ଲୋକଙ୍କୁ ଭେଟିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସେପଟେ କୋର୍ଟରେ ଶୁଣାଣି ସମୟରେ ମଧ୍ୟ ନିଜକୁ ଫସେଇ ଦେଇଥିବା ଅଭିଯୋଗ କରିଛି ଅଭିଯୁକ୍ତ ଅଶୋକ । ତେଣୁ ରେୟାନ ସ୍କୁଲରେ ନିରୀହ ପ୍ରଦ୍ୟୁମ୍ନକୁ କିଏ, କାହିଁକି ହତ୍ୟା କରିଛି ସେହି ପ୍ରଶ୍ନ ଏବେ ବି ଜନମାନସକୁ ଆନ୍ଦୋଳିତ କରୁଛି । ଏବେ ସିବିଆଇ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ନେବା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ସମସ୍ତେ ଆଶା କରୁଛନ୍ତି ।