ମହାରଥୀଙ୍କ ପ୍ରଶଂସା ପାଇଲେ ଧର୍ମେନ୍ଦ୍ର ! ପୁଣି ଉଠିଲା ବିଜେଡି ରାଜନୀତିରେ ଝଡ

30

କନକ ବ୍ୟୁରୋ : ମହାରଥୀ କଲେ ମୁହଁ ଖୋଲା ପ୍ରଶଂସା । କିନ୍ତୁ ସେ ପ୍ରଶଂସା ଥିଲା ଏମିତି ଜଣେ ରାଜନେତାଙ୍କୁ ଯାହାଙ୍କୁ ନବୀନ ଏକ ନମ୍ବର ଶତ୍ରୁ ଭାବେ ବିବେଚନା କରନ୍ତି । ଆଜି ଓୟୁଏଟିରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଧର୍ମେନ୍ଦ୍ର ବେଶ୍ ଭଲ କାମ କରୁଛନ୍ତି । ବନ୍ଧୁ ହେବ ତ ଧର୍ମେନ୍ଦ୍ରଙ୍କ ଭଳି । କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ସେ ତାଙ୍କ ନିଜ ଭାଇ ଭଳି । ଭର୍ତୃହରିଙ୍କ ପରେ ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ଚର୍ଚା ।

କଥା ଏତିକିରେ ସରିନଥିଲା, ଭଲ କାମ ପାଇଁ ପ୍ରଶଂସା କରିବାକୁ ଦଳ କିଛି ବାଧକ ନୁହେଁ ବୋଲି ମହାରଥୀ କହିବାକୁ ପଛାଇ ନଥିଲେ । ଅର୍ଥାତ୍ ସିଧାସଳଖ ସୁଚାଇବାକୁ ଚାହିଁଥିଲେ, ମୋଦି ସରକାରଙ୍କ ଭଲ କାମକୁ ପ୍ରଶଂସା କରିବାରେ କୈାଣସି ଭୁଲ ନାହିଁ ।

ସେହିଭଳି ବନ୍ଧୁ ହେବ ତ ଧର୍ମେନ୍ଦ୍ରଙ୍କ ଭଳି ଆଉ ଭାଇ ହେବ ତ ରାଧାମୋହନ ସିଂଙ୍କ ପରି, କିଛି ଏଭଳି ଉକ୍ତି ଆସିଥିଲା କୃଷିମନ୍ତ୍ରୀଙ୍କ ପାଟିରୁ । ବୋଧହୁଏ ମନ କଥା କହିଥିଲେ ମହାରଥୀ । ହେଲେ କାର୍ଯ୍ୟକ୍ରମ ସରିବା ପରେ ଗଣମାଧ୍ୟମକୁ ଉତର ଦେଇ ମହାରଥୀ କହିଥିଲେ, ଆଜି ଭାଇ କହୁଛି, କାଲି ତାଙ୍କ ପାଇଁ ଘାଇ ଖୋଳିବାରେ କିଛି ଅସୁବିଧା ନାହିଁ ।

ଗତ କିଛି ଦିନ ଧରି ବିଜେଡି-ବିଜେପି ରାଜନୀତି ଏକ ରୋଚକ ମୋଡରେ ଥିବା ବେଳେ ଉଭୟ ଦଳର ନେତା ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିବାକୁ ପଛାଉନଥିଲେ । ଆଉ ଏଭଳି ସ୍ଥଳେ ମହାରଥୀଙ୍କ ଉକ୍ତି ପରେ ଧର୍ମେନ୍ଦ୍ର କହିଛନ୍ତି, ଆଗକୁ ଏହା ତାଙ୍କ ପାଇଁ ସମ୍ପଦ କି ବିପଦ ଆଣୀବ, ପ୍ରଭୁ ଜଗନ୍ନାଥଙ୍କୁ ଜଣା । ଖାଲି ଏତିକି ନୁହେଁ, ଟ୍ୱିନସିଟିରେ ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଂଗା ଯୋଜନାର ଶୁଭାରମ୍ଭ ବେଳେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଥିଲେ ସାଂସଦ ଭର୍ତୃହରି ।

କିଛି ଦିନ ତଳେ ଆସିଥିଲା ଟ୍ୱିଟର ଝଡ । ସାଂସଦ ତଥାଗତ ଶତପଥୀ କହିଥିଲେ, ବିଜେପି ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି । ବୈଜୟନ୍ତ ଆତ୍ମସମୀକ୍ଷା କରିବାକୁ ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେଇଥିଲେ । ବିଜେଡିରେ ବିବାଦ ଆଉ ବିପତି ମାଡି ଆସୁଥିବା ବେଳେ କୃଷିମନ୍ତ୍ରୀଙ୍କ ଏହି ବୟାନକୁ ତାଙ୍କ ଚିରାଚରିତ ଡାଇଲଗ ଭାବେ ଦେଖାଯିବ ନା ଏହା ପଛରେ କିଛି ଗୁଢ ରହସ୍ୟ ରହିଛି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।