ସିସୋର ଚିଟଫଣ୍ଡ ମାମଲାରେ ଗିରଫ ପ୍ରଭାତ ବିଶ୍ୱାଳଙ୍କ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା ! ଅଧିକ ଚିକିତ୍ସା ପାଇଁ ଏସସିବି ଯିବେ ବିଧାୟକ

23

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ମାମଲାରେ ଗିରଫ ପ୍ରଭାତ ବିଶ୍ୱାଳଙ୍କ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା । ଅଧିକ ଚିକିତ୍ସା ପାଇଁ ବିଧାୟକଙ୍କୁ କଟକ ଏସସିବି ନିଆଯିବ । ପ୍ରଭାତଙ୍କ ଅଂଟା ଓ ପେଟରେ ସମସ୍ୟା ରହିଛି । ୪ ଜଣିଆ ଡାକ୍ତରୀ ଟିମଙ୍କ ପରାମର୍ଶ କ୍ରମେ ପ୍ରଭାତ ବିଶ୍ୱାଳଙ୍କୁ କଟକ ନିଆଯିବ । କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏନେଇ ସୂଚନା ଦେଇଛନ୍ତି । ସିସୋର ସହ ଚିଟଫଣ୍ଡ ଲିଙ୍କ ମାମଲାରେ ପ୍ରଭାତଙ୍କୁ ଗିରଫ କରିଛି ସିବିଆଇ ।

ସୂଚନା ମୁତାବକ, ସିସୋର ଠକେଇ ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ତାଙ୍କୁ ଚିକିତ୍ସା କରିବାକୁ କ୍ୟାପିଟାଲ ହସ୍ପିଟାଲର ଏକ ୪ ଜଣିଆ ଡାକ୍ତରୀଦଳ ନିୟୋଜିତ ହୋଇଛନ୍ତି । ଏହି ଦଳରେ ହୃଦ୍ ରୋଗ, ଭେଷଜ, ଅସ୍ଥିଶଲ୍ୟ ଓ ଶଲ୍ୟ ବିଭାଗର ୪ ଜଣ ଡାକ୍ତର ଅଛନ୍ତି । ତାଙ୍କୁ ବାରମ୍ବାର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହେଉଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତ ୧୯ ତାରିଖରେ ଗିରଫ ହୋଇଥିବା ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ତେବେ ଶୁକ୍ରବାର ଅପରାହ୍ଣରେ ଜେରା ଚାଲିଥିବାବେଳେ ଶ୍ରୀ ବିଶ୍ୱାଳଙ୍କ ରକ୍ତଚାପ ବଢ଼ିଯିବା ସହ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ତେଣୁ ସିବିଆଇ ତାଙ୍କୁ ରିମାଣ୍ଡ ଅବଧି ସରିବାର ଦିନକ ପୂର୍ବରୁ ତୁରନ୍ତ କୋର୍ଟ ଚାଲାଣ କରି ଦେଇଥିଲା । ରାତିରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଏବେ ବି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନର୍ସିଂହୋମର ଏକ ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି । ଏହା ବ୍ୟତୀତ ତାଙ୍କ ସୁରକ୍ଷା ଲାଗି କ୍ୟାବିନ ବାହାରେ ଦିନ ରାତି ପୁଲିସ ମଧ୍ୟ ପହରା ଦେଉଛି ।