ମେଲଘରାରେ ନେତାଙ୍କ ଭିଡ : କଂଗ୍ରେସ କଲା ପଦଯାତ୍ରା

20

କନକ ବ୍ୟୁରୋ : ମେଲଘରା ଗାଁରେ ମାଳମାଳ ନେତା। ସେଦିନ ଚାରିକାନ୍ଧ ପାଇଁ ମାଲଭାଇ ମିଳିନଥିଲେ ଦାନ ମାଝିଙ୍କୁ। ହେଲେ ଆଜି କିନ୍ତୁ ଚାରିପାଖରେ ପ୍ରତିଶୃତିର ଭିଡ଼। ଶବକୁ ପ୍ରସଙ୍ଗ କରି ବିଜେଡ଼ି ଶୀକାର କରିବାକୁ ବଣ ମୂଲକରେ ବିରୋଧୀ କଂଗ୍ରେସ ଓ ବିଜେପି। ଆଜି କଂଗ୍ରେସ ଆରମ୍ଭ କରିଛି ଅହୋରାତ୍ର ପଦଯାତ୍ରା। ଅର୍ଥାତ ଦାନ ମାଝିଙ୍କ ମେଲଘରା ଗାଁରୁ ପଦଯାତ୍ରା ବାହାରି ଭବାନୀପାଟଣାରେ ପହଂଚିବ। ୬୦ କିଲୋମିଟର ଯାତ୍ରା। ଠିକ୍ ଦାନମାଝିଙ୍କ ୬୦ କିଲୋମିଟର ଶବ ଶୋଭାଯାତ୍ରା ଭଳି।

ସେହିପରି ବିଜେପିର ଏକ ୮ଜଣିଆ ସତ୍ୟ ଅନୁସନ୍ଧାନକାରୀ ଦଳ ପହଂଚିଥିଲା ଦାନମାଝୀଙ୍କ ଗାଁ ମେଲଘରାରେ। ବୁଝିବାକୁ ଚେଷ୍ଟା କରିଥିଲା ଅଭାବୀ ପଛରେ ଲୁଚି ରହିଥିବା ସତ କାହାଣୀ। କାରଣ ଦାନ ମାଝୀଙ୍କ ଘର ଭବାନୀପାଟଣା ଠାରୁ ୬୦ କିଲୋମିଟର ଦୂରରେ। ଠିକ୍ ନଗଡ଼ା ଭଳି ନିଖୋଜ ଅଧ୍ୟାୟ ଦାନମାଝୀଙ୍କ ଗାଁ। ଦୁଇଟି ପାହାଡ଼ ମଝିରେ ଏହି ଗାଁ। ଯେଉଁଠି ବସ୍ ସେବା ଆଜି ବି ସ୍ୱପ୍ନ। ଯେଉଁଠି ଦାନ ମାଝୀଙ୍କ ଭଳି ଅଭାବୀ ମଣିଷଙ୍କ ବସ୍ତି ରହିଛି ଦୁଇଟି ପାହାଡ଼ ମଝିରେ।

ଦାନ ମାଝୀଙ୍କୁ ଆମ୍ବୁଲାନ୍ସଟିଏ ଯୋଗାଇ ଦେଇ ନପାରି ଏବେ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ପ୍ରତି ପ୍ରସଙ୍ଗ ଭଳି କଳାହାଣ୍ଡିର ଏହି ଅଭାବୀ ପ୍ରସଙ୍ଗକୁ ମଧ୍ୟ ହାଇଜାକ୍ କରିବାକୁ ଆରମ୍ଭ କରିଛି ଯୋଜନା। କ୍ରାଇସେସ୍ ମ୍ୟାନେଜମେଂଟ ପାଇଁ ଜିଲ୍ଲା ମନ୍ତ୍ରୀ ପୁଷ୍ପେନ୍ଦ୍ର ଆସି ପହଂଚି ସାରିଛନ୍ତି ଭବାନୀପାଟଣାରେ। ଏହା ପୂର୍ବରୁ ବିଧାୟକ ମଧ୍ୟ ଦାନଙ୍କୁ ଭେଟିଛନ୍ତି।

ଦାନ ମାଝୀଙ୍କ ଶବ ଶୋଭାଯାତ୍ରା ପରେ ଏବେ ଦାନଙ୍କ ଗାଁରେ ଚାଲିଛି ରାଜନୀତିର ଶୋଭାଯାତ୍ରା। ହେଲେ ଦାନ କିନ୍ତୁ ବୁଝି ପାରୁ ନାହାନ୍ତି, ଏସବୁରୁ ତାଙ୍କୁ ମିଳିବ କଣ।

ଦେଖନ୍ତୁ ଏହି ଭିଡିଓ –