କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳୁଛି ରାଜ୍ୟ ରାଜନୀତିର ଦୃଶ୍ୟପଟ । ରାଜ୍ୟର କିଛି ଅଭିଜ୍ଞ ନେତା ନୂଆ ରଣନୀତି ଆପଣେଇବା ସମ୍ଭାବନା ବଢିବାରେ ଲାଗିଛି । ପଂଚାନନ କାନୁନଗୋଙ୍କ ଭଳି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ନେତା କମ୍ ବ୍ୟାକ୍ କରିବା ଚର୍ଚ୍ଚା ହେଉଛି । ସେହିପରି ବିଜୟ, ଦିଲ୍ଲୀପ ଓ ବୈଜୟନ୍ତଙ୍କୁ ନେଇ ମଧ୍ୟ ଭିନ୍ନ ସମୀକରଣର କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପି ଛାଡିବା ପରେ ଓଡିଶା ରାଜନୀତିର ଏହି ଅଭିଜ୍ଞ ନେତା ବିଜୟ ମହାପାତ୍ରଙ୍କ କ’ଣ ହେବ ଆଗାମୀ ରାଜନୈତିକ ପଦକ୍ଷେପ, ତାକୁ ନେଇ ଲାଗିରହିଛି ଉତ୍କଣ୍ଠା । ଏହାରି ଭିତରେ ସାମ୍ନାକୁ ଆସିଛି ଏଭଳି ଏକ ଦୃଶ୍ୟ । ଯେତେବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଘରେ ପହଂଚିଛନ୍ତି ବିଜୟ ମହାପାତ୍ର । ଶୁଣିବାକୁ ମିଳୁଛି ଦୁଇ ନେତା ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ନେଇ ମନ୍ତ୍ରଣା କରିଛନ୍ତି । ଯଦିଓ ଔପଚାରିକ ଭାବେ କିଛି ଘୋଷଣା କରାଯାଇ ନାହିଁ । ତେବେ ଏକଥା ବି ଶୁଣିବାକୁ ମିଳୁଛି ଯେ, ଦୀର୍ଘଦିନ ହେଲା ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ବରିଷ୍ଠ ନେତା ପଂଚାନନ କାନୁନଗୋ ୨୦୧୯ରେ କଂଗ୍ରେସ କ୍ୟାମ୍ପରୁ ପୁଣିଥିରେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ।
ନିର୍ବାଚନ ବର୍ଷରେ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିକୁ ଜୋରଦାର କରିଥିବାବେଳେ ଏକ ଭିନ୍ନ ସମୀକରଣର ସମ୍ଭାବନା ବି ବଢିଯାଇଛି । ଏପଟେ ବିଜେପି ଛାଡିଥିବା ଆଉ ଜଣେ ବରିଷ୍ଠ ନେତା ଦିଲ୍ଲୀପ ରାୟ ବି ନିଜର ଆଗାମୀ ରାଜନୈତିକ ଲଢେଇ ପାଇଁ ଏକ ସୁରକ୍ଷିତ କ୍ୟାମ୍ପ ଖୋଜୁଛନ୍ତି । ଆଉ ବିଜୟ ପୂର୍ବରୁ କହିଛନ୍ତି ଦିଲ୍ଲୀପ ଫେରିବା ପରେ ଏକାଠି ନିଷ୍ପତି ନିଆଯିବ । ତେଣୁ ପଂଚାନନଙ୍କ ଘରେ ବିଜୟଙ୍କ ଉପସ୍ଥିତି ଓ କଂଗ୍ରେସ କ୍ୟାମ୍ପରୁ ପଂଚାନନ ଲଢିବା ନେଇ ଚର୍ଚ୍ଚା ଭିତରେ ଭିନ୍ନ ସମୀକରଣର ସଂକେତ ମିଳୁଛି ।
ହେଉଥିବା ଚର୍ଚ୍ଚା ଅନୁସାରେ କେଉଁ ମାନଙ୍କୁ ଦଳରେ ନେଲେ ଭଲହେବ । ଉଭୟ ବିଜେଡି ଓ ବିଜେପିକୁ ମାତ୍ ଦିଆଯାଇ ପାରିବ । ସେନେଇ ରାଜ୍ୟ ନେତୃତ୍ୱଙ୍କ ମତାମତ ଲୋଡିଛନ୍ତି କଂଗ୍ରେସ ହାଇକମାଣ୍ଡ । ରାଜ୍ୟ ରାଜନୀତିର ଆଉଜଣେ ଚର୍ଚ୍ଚିତ ଚେହେରା ବୈଜୟନ୍ତ ପଣ୍ଡା । ଦୀର୍ଘଦିନ ହେଲା ବିଜେଡି ଛାଡିଥିଲେ ବି ଏପର୍ଯ୍ୟନ୍ତ ନିଜର ଆଗାମୀ ରଣନୀତି ନେଇ ସ୍ପଷ୍ଟ କରିନାହାନ୍ତି ଏହି ପୂର୍ବତନ ସାଂସଦ । ହେଲେ ତାଙ୍କ ପାଇଁ ସବୁଦ୍ୱାର ଖୋଲା ରହିଥିବା କହିବୁଲୁଛନ୍ତି । ଏପଟେ ପିସିସି ସଭାପତି ବି ସ୍ପଷ୍ଟ କରିସାରିଛନ୍ତି ଯେ, ଯେଉଁମାନେ ଓଡିଶା ପାଇଁ କାମ କରିବାକୁ ଆଗ୍ରହୀ ତାଙ୍କୁ ଦଳରେ ସ୍ୱାଗତ କରାଯିବ । ୨୦୧୯ ନିର୍ବାଚନକୁ ଆଉ ଅଳ୍ପ କେଇ ମାସ ବାକିଥିବା ବେଳେ ରାଜ୍ୟ ରାଜନୀତିକୁ ପ୍ରଭାବିତ କଲାଭଳି ଦକ୍ଷତା ରଖୁଥିବା ଏହି ନେତାମାନଙ୍କ ନିଷ୍ପତି ଉପରେ ନଜର ରହିଛି । ଜନତା ଦଳରେ ରାଜନୀତି କରିଥିବା ଏହି ନେତାମାନଙ୍କ ଭିତରେ ଅନେକ ସାମଞ୍ଜସ୍ୟ ବି ରହିଛି ।